ପାଣିକୋଇଲିରୁ ବ୍ରାଉନସୁଗାର ଜବତ; ଦୁଇ ଗିରଫ

ବାଲେଶ୍ବରରୁ ବ୍ୟାସନଗରକୁ ଲମ୍ବିଛି ଚେର

ପାଣିକୋଇଲି: ଯାଜପୁର ଜିଲ୍ଲା ପାଣିକୋଇଲିରୁ ଆଜି ଦୁଇଜଣ ବ୍ରାଉନସୁଗାର ବେପାରୀ ଗିରଫ ହୋଇଛନ୍ତି। ସେମାନଙ୍କଠାରୁ ୧୦ ଗ୍ରାମ୍‌ ବ୍ରାଉନସୁଗାର ଜବତ ହୋଇଛି। ଗିରଫ ଅଭିଯୁକ୍ତଦ୍ବୟ ହେଲେ କୋରେଇ ଥାନା କହ୍ନେଇପୁର ଗ୍ରାମର ରାଜେନ୍ଦ୍ର ମହାନ୍ତି (୪୩) ଓ ପାର୍ଥସାରଥୀ ମହାନ୍ତି (୨୨)। ଦୁହେଁ ଆଜି ସନ୍ଧ୍ୟାରେ ବାଲେଶ୍ବରରୁ ବସ ଯୋଗେ ଆସି ପାଣିକୋଇଲିରେ ଓହ୍ଲାଇଥିଲେ। ସେଠାରୁ ଯାଜପୁର ରୋଡ୍‌ ଯିବାକୁ ବାହାରିଥିଲେ। ଏହି ସମୟରେ ପୁଲିସ ଚଢ଼ଉ କରି ଦୁହିଁଙ୍କୁ ଗିରଫ କରିଥି‌ଲା।

ପୁଲିସ ସୂଚନା ଅନୁସାରେ ରାଜେନ୍ଦ୍ର ଓ ପାର୍ଥସାରଥୀ ଯାଜପୁରରୋଡ୍‌ରେ ଦୀର୍ଘଦିନ ହେବ ବ୍ରାଉନସୁଗାର ବେପାର କରୁଛନ୍ତି। ସେମାନେ ବାଲେଶ୍ବର ଅରଡ଼ବଜାରରୁ ଧଳାଜହର ଆଣି ନିୟମିତ ବେପାର କରିଥାନ୍ତି। ବସ୍‌ରେ ପାଣିକୋଇଲି ଛକରେ ଓହ୍ଲାଇ ଯାଜପୁରରୋଡ୍‌ରେ ଚଢ଼ାଦରରେ ବିକ୍ରି କରିଥାନ୍ତି। ଆଜି ଦୁହେଁ ବ୍ରାଉନସୁଗାର ଧରି ବସରେ ଆସୁଥିବା ସଂକ୍ରାନ୍ତରେ ଯାଜପୁର ଏସପି ରାହୁଲ ପିଆରଙ୍କ ନିକଟରେ ଖବର ପହଞ୍ଚିଥିଲା। ଏସ୍‌ପିଙ୍କ ନିର୍ଦେଶରେ ପାଣିକୋଇଲି ଥାନାଧିକାରୀ ଚକ୍ରପତି କହଁର ସଜାଗ ହୋଇଯାଇଥିଲେ।

ଦୁଇ ଅଭିଯୁକ୍ତ ଯାଜପୁରୋଡ୍‌ ଯିବା ପାଇଁ ଅଟୋରେ ବସୁଥିବା ସମୟରେ ପାଣିକୋଇଲି ପୁଲିସ ଚଢ଼ଉ କରି ଉଭୟଙ୍କୁ କାବୁ କରିନେଇଥିଲା। ଥାନାରେ ସେମାନଙ୍କ ନିକଟରୁ ୧୦ ଗ୍ରାମ୍‌ (୪୦ଟି ପ୍ୟାକେଟ) ବ୍ରାଉନ ସୁଗାର ଓ ୨୨୦୦ ଟଙ୍କା ଜବତ କରାଯାଇଥିଲା। ଏ ସଂକ୍ରାନ୍ତରେ ଏକ ମାମଲା ୫୬/୨୧ ରୁଜୁ ହେବା ସହିତ ଦଫା ୨୦(ବି) (୨) (ବି)/୨୯ ଏନଡିପିଏସ ଆକ୍ଟରେ ଦୁହିଁକୁ ଗିରଫ କରାଯାଇଛି। ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର