ମଧ୍ୟପ୍ରଦେଶରୁ ଆସି ଖୋର୍ଦ୍ଧାରେ ବିକ୍ରି କରୁଥିଲେ ନକଲି ମୋବାଇଲ୍, ୨ ଗିରଫ 

ଖୋର୍ଦ୍ଧା: ମଧ୍ୟପ୍ରଦେଶରୁ ଆସି ଖୋର୍ଦ୍ଧାରେ ଏକ ଲୋକପ୍ରିୟ ବ୍ରାଣ୍ଡ କମ୍ପାନିର ନାଁରେ ନକଲି ଦାମୀ ମୋବାଇଲ୍ ଫୋନ୍ ବିକ୍ରି କରୁଥିଲେ। ପୁଲିସ ଆଜି ଟ୍ରାକିଂ କରି ୨ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ନକଲି ରସିଦ ବହି ସମେତ ୨୮ଟି ନକଲି ମୋବାଇଲ୍ ଫୋନ୍, ୪ଟି ଏମ୍ଆଇ ପାୱାର ବ୍ୟାଙ୍କ ଓ ଦୁଇଟି ମୋଟର ସାଇକଲ ଜବତ କରିଛି ।

ସୂଚନାନୁସାରେ, ଖୋର୍ଦ୍ଧାରେ ଅନ୍ୟ ନାମୀ ବ୍ରାଣ୍ଡର ନକଲି ଫୋନ୍ ବିକ୍ରି ହେଉଥିବା ନେଇ ସୂଚନା ମିଳିବା ପରେ ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରା ଏସ୍ଡିପିଓ ସୁଶୀଲ କୁମାର ମିଶ୍ର, ଟାଉନ୍ ଥାନା ଅଧିକାରୀ ସଂଜୟ କୁମାର ପଟ୍ଟନାୟକଙ୍କୁ ନେଇ ଏକ ଟିମ୍ ଗଠନ କରିଥିଲେ । ଟିମ୍ ଖୋର୍ଦ୍ଧାରେ ନକଲି ମୋବାଇଲ୍ ବିକ୍ରି ନେଇ ଗତ କିଛି ଦିନ ଧରି ଟ୍ରାକିଂ କରିଥିଲା । ଶେଷରେ ଗତକାଲି ଖୋର୍ଦ୍ଧାର ସ୍ପୁନ୍ ଲଜ୍‌ରେ ଚଢ଼ଉ କରିଥିଲା । ଚଢ଼ଉରେ ମଧ୍ୟପ୍ରଦେଶର ଖାଣ୍ଡବା ଜିଲ୍ଲାର ମୋଗଟ ଗାଁର ଦିଲିପ ଯାଦବ(୧୯) ଓ ଯଉନପାନିର ପପୁ ଚୱନ (୩୨)କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ଦୁଇଟି ମୋଟର ସାଇକଲ ( ଏମ୍ପି ୧୨ଏମ୍ଏକ୍ସ ୬୬୪୧ ଓ ଏମ୍ପି ୧୨ ଏମ୍ଭି ୬୨୧୧), ୨୮ଟି ନକଲି ଓପୋ ମୋବାଇଲ ଫୋନ୍, ୪ଟି ଏମ୍ଆଇ ପାୱାର ବ୍ୟାଙ୍କ, ଗୋଟିଏ ରସିଦ ବହି ଜବତ କରାଯାଇଛି ।

ଏନେଇ ସୂଚନା ଦେଇ ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗତକାଲି ହୋଇଥିବା ଚଢ଼ଉରେ ସେ ନିଜେ, ଏସ୍ଆଇ ବିଜୟ କେତନ ବେହେର, ସ୍ୱାଗତିକା ଦାସ, ସସ୍ମିତା ବେହେରା, ମନୋଜ ଦାସ, ଏଏମ୍ଆଇ ପି ପ୍ରଧାନ, ଏଏସ୍‌ଆଇ ଅକ୍ଷୟ ସେଠୀ ଓ ଅନ୍ୟ ପୁଲିସ କର୍ମଚାରୀ ଯୋଗ ଦେଇଥିଲେ । ଅଭିଯୁକ୍ତଙ୍କୁ ୪୮୮/୨୦୨୧ ମାମଲାରେ ଗିରଫ କରାଯାଇଛି । ପଚରାଉଚୁରା କରାଯିବା ପରେ ସେମାନଙ୍କ ଡାକ୍ତର ପରୀକ୍ଷଣ ସହ ଆଜି କୋର୍ଟରେ ହାଜର କରାଯାଇଛି । ଏନେଇ ଅଧିକ ତଦନ୍ତ କରିବାକୁ ଏସ୍ଆଇ ସ୍ୱାଗତିକା ଦାସଙ୍କୁ ଦାୟିତ୍ୱ ଦିଆଯାଇଛି ।

 

ସମ୍ବନ୍ଧିତ ଖବର