କନ୍ଧମାଳରୁ ଭୁବନେଶ୍ବର ଚାଲାଣ: ବୁଲେଟ ସହ ଗଂଜେଇ ଜବତ,୨ ଅଭିଯୁକ୍ତ ଗିରଫ

ଫୁଲବାଣୀ: କନ୍ଧମାଳରେ ଚାଲିଛି ଗଂଜେଇ ଗଛ ନଷ୍ଠ ଅଭିଯାନ। ଏପଟେ କମୁନି ଗଂଜେଇ ଚାଲାଣ। ଗାଡି ମଟର ଯାଞ୍ଚ କରୁଛି ବୋଲି ପୁଲିସ କହୁଛି। ହେଲେ ମାଫିଆ ଅନାୟସରେ ଗଂଜେଇ ବାହାରକୁ ଚାଲାଣ କରୁଛନ୍ତି। ଗତକାଲି ରାତିରେ ଫିରିଙ୍ଗିଆ ଭାୟା ସଦର ଥାନା ଫୁଲବାଣୀ ସହର ଦେଇ ୨ ଜଣ ଆନ୍ତଃ ଜିଲ୍ଲା ଅଭିଯୁକ୍ତ ଏକ ବୁଲେଟରେ ଗଂଜେଇ ଚାଲାଣ କରୁଥିଲେ। ଟାଉନ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ସେମାନଙ୍କ ଉପରେ ସନ୍ଦେହ କରିଥିଲା। ସବ ଇନସପେକ୍ଟର ସାନ୍ତନୁ କୁମାର ପ୍ରଧାନ ସେମାନଙ୍କୁ ଅଟକାଇ ଯାଞ୍ଚ କରିଥିଲେ। ବସ୍ତାରେ କଣ ଅଛି ବୋଲି ପଚାରିବାରେ ସେମାନେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ବସ୍ତା ଖୋଲିବା ପରେ ସେଥିରୁ ୧୦ କିଲୋ ୬୦୦ ଗ୍ରାମ ଗଂଜେଇ ବାହାରିଥିଲା।

ଏଠାରେ ପ୍ରଶ୍ନ ଉଠୁଛି ଗାଡି ମଟର ଯାଞ୍ଚ କରୁଛି ବୋଲି ସଦର ପୁଲିସ ଡିଣ୍ଡିମ ପିଟୁଥିବା ବେଳେ ବିଶିପଡା ଛକ ଦେଇ ସେମାନେ କିଭଳି ଆସିଲେ। ପୁଲିସ ବୁଲେଟ ସହ ଗଂଜେଇ ଏବଂ ୨ଟି ମୋବାଇଲ ଜବତ କରିଛି। ଅଭିଯୁକ୍ତ ନୟାଗଡ ଜିଲ୍ଲା ଫତେପଡାର ଶୁଭଶ୍ରୀରଂଜନ ସାହୁ ଓ ଭୁବନେଶ୍ବର ଖଣ୍ଡଗିରିର ଅଶୋକ ଗଉଡଙ୍କୁ ଗିରଫ କରିଥିଲା। ଗିରଫ ୨ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ସୁଶାନ୍ତ କୁମାର ସେଠୀ କହିଛନ୍ତି।

ସମ୍ବନ୍ଧିତ ଖବର