ଆଇପିଏଲ୍‌ ବେଟିଂ, ୨ ଗିରଫ

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ଜାଡାଗୋଳା ଗ୍ରାମରେ ଆଇପିଏଲ୍‌ ବେଟିଂ ଚାଲିଥିବାବ‌େଳେ ଦେବଗଡ଼ ଥାନା ପୁଲିସ ଚଢ଼ଉ କରି ୨ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ,  ଜାଡାଗୋଳା ଗ୍ରାମରେ ଆଇପିଏଲ ବେଟିଂ ଚାଲିଥିବା ସୂଚନା ପାଇ ଦେବଗଡ଼ ଜିଲ୍ଲା ପୁଲିସର ସ୍ପେସାଲ ଏସଡ଼ିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ମଙ୍ଗଳବାର ଅତର୍କିତ ଭାବେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ଉକ୍ତ ଗ୍ରାମର ବାପୁନ ବେହେରା  ଓ ଲିପୁନ ବେହେରା ନାମକ ଦୁଇ ଭାଇଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ନଗଦ ୯ଲକ୍ଷରୁ ଅଧିକ ଟଙ୍କା ସହ ମୋବାଇଲ ଫୋନ, ଲାପଟପ ଓ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଓ ଏଟିଏମ୍‌ କାର୍ଡ ଜବତ କରାଯାଇଥିଲା।

ତଦନ୍ତ ବେଳେ  ଏହା ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗ ବୋଲି ଜଣା ପଡିବା ସହ ବେଟିଂରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଜଣା ପଡ଼ିଥିଲା। ବୁଧବାର ସେମାନଙ୍କ ବିରୋଧରେ ପୁଲିସ ଏକ ମାମଲା ରୁଜୁ କରି ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଛି। ଦେବଗଡ଼ ଆଦର୍ଶ ଥାନା ପରିସରରେ ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସ୍‌ପି ରାଜକିଶୋର ପାଇକରାୟ ଏହି ସୂଚନା ଦେଇଛନ୍ତି।  ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଦେବଗଡ଼ ଏସଡ଼ିପିଓ ଶ୍ରୀ ମହାପାତ୍ର, ଡିଏସ୍‌ପି ପ୍ରଦୀପ କେରକେଟା, ଏସ୍‌ଆଇ ବୁଦ୍ଧାରାୟ ମାଝୀ ଓ ପ୍ରତାପ ଦଳେଇ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର