ସୁନା ଚେନ ଲୁଟେରା ସମେତ ୨ ଗିରଫ, ସୁନା ଚେନ ଓ ବାଇକ୍‌ ଜବତ

ରାଉରକେଲା: ୨ଟି ସୁନା ଚେନ, ୨ଟି ବାଇକ୍‌ ଓ ମୋବାଇଲ ସମେତ ୨ ଜଣ ଗିରଫ ହୋଇଛନ୍ତି। ରାଉରକେଲାର ଉଦିତ ନଗର ଥାନା ପୁଲିସ ମାଲଗୋଦାମ ଅଂଚଳର ଦୀପକ ସାହୁ ଓ ବୀରମିତ୍ରପୁର ଅଂଚଳର ମହମ୍ମଦ ସରିକ ଓରଫ ହମିଦଙ୍କୁ ଗିରଫ କରିଛି।

ଉଦିତ ନଗର ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆଇଆଇସି ସୁଦର୍ଶନ ପଣ୍ଡା କହିଛନ୍ତି, କୁଖ୍ୟାତ ଲୁଟେରା ଦୀପକ ନାଁରେ ଉଦିତ ନଗର, ସେକ୍ଟର-୧୫, ଝିରପାଣି, ସେକ୍ଟର-୩ ଓ ଛେଣ୍ଡ ଥାନାରେ ଏକାଧିକ ମାମଲା ରୁଜୁ ହୋଇଛି। ଦୀପକ ନିକଟରେ ଜେଲରୁ ଜାମିନରେ ଆସିଥିଲା। ଜେଲରୁ ବାହାରିବା ପରେ ମୋଟର ସାଇକେଲ, ସ୍କୁଟି ଚୋରୀ କରିବା ଆରମ୍ଭ କରିଦେଇଥିଲା। ସେହିପରି ସେ ମୋବାଇଲ ଫୋନ ଓ ସୁନା ଚେନ ଲୁଟ କରୁଥିଲା। ଚୋରୀ ଓ ଲୁଟ ପାଇଁ ଦୀପକ ବରିଷ୍ଠ ମହିଳାଙ୍କୁ ଟାର୍ଗେଟ କରୁଥିଲା। ସକାଳ ୫ଟାରୁ ସାଢ଼େ ୫ଟା ମଧ୍ୟରେ ଯେଉଁ ବରିଷ୍ଠ ମହିଳାମାନେ ଫୁଲ ତୋଲିବାକୁ ଆସୁଥିଲେ ଅଥବା ଚାଲିବାକୁ ଆସୁଥିଲେ, ସେମାନଙ୍କ ଠାରୁ ମୋବାଇଲ ଓ ସୁନାଚେନ ଛିଣ୍ଡାଇ ନେଉଥିଲା। ବିଭିନ୍ନ ଥାନାରେ ଚୋରୀ ଓ ଲୁଟ ଅଭିଯୋଗ ଆସିବା ପରେ ରାଉରକେଲା ଏସ୍‌ପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଥିଲା। ଆଇଆଇସି ଶ୍ରୀ ପଣ୍ଡା କହିଛନ୍ତି, ଦୀପକ ଠାରୁ ଚୋରୀ ସାମଗ୍ରୀ କିଣିବା ଅଭିଯୋଗରେ ପୁଲିସ ମହମ୍ମଦ ସରିକକୁ ଗିରଫ କରିଛି।

ସମ୍ବନ୍ଧିତ ଖବର