ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ କନ୍ଧମାଳ ଓ ଗଞ୍ଜାମ ସୀମାନ୍ତ ବାପାଙ୍ଗି ମନ୍ଦିର ନିକଟରେ ହୋଇଥିବା ଏକ ଲୁଟ ମାମଲାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ସେମାନଙ୍କ ନିକଟରୁ ୨୭ ପେଟି ଗ୍ରୋସରୀ ସାମଗ୍ରୀ, ୧୦ ହଜାର ୭୦୦ ଟଙ୍କା ଏବଂ ୩ଟି ମୋବାଇଲ ଫୋନ ଜବତ କରିଛି। ଭଞ୍ଜନଗର ବାଇପାସ୍ ରୋଡ଼ରେ ଥିବା ଏକ ଗ୍ରୋସରୀ କମ୍ପାନିର ସାମଗ୍ରୀ ନେଇ ଯାଉଥିବା ଏକ ଗାଡିରୁ ଗତମାସ ୨୬ ତାରିଖ ଦିନ ଏକ ପଲସର ବାଇକରେ ତିନି ଜଣ ଆସି ଟଙ୍କା ସହ ସାମଗ୍ରୀ ଲୁଟ କରିବା ଅଭିଯୋଗରେ ପୁଲିସ୍ ସାନକୋଦଣ୍ଡା ଗ୍ରାମର ସୁଧାକର ରାଉତ ଏବଂ ଟୋକାଗଣ୍ଡା ଗ୍ରାମର ରିଙ୍କୁ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଧୀରେଶ ଦାସ ସୂଚନା ଦେଇଛନ୍ତି। ଏଥିସହ ଅନ୍ୟ ଦୁଇ ଜଣ ଫେରାର୍ ରହିଥିବା ବେଳେ କେସ୍ ନମ୍ବର ୪୮୮ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ସେ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ଘଟଣା ଦିନ ଅଭିଯୁକ୍ତ ସୁଧାକର ହେଲପର ସହ ଏକ ପିକଅପ୍ ଗାଡିରେ ଗ୍ରୋସରୀ ସାମଗ୍ରୀ ନେଇ ସାନକୋଦଣ୍ଡା, ବିଞ୍ଜିଗିରି ଏବଂ ମହାଗୁଡାରେ ସାମଗ୍ରୀ ନେଇ କନ୍ଧମାଳ ଜିଲ୍ଲା ଇନ୍ଦ୍ରଗଡକୁ ଯିବା ସମୟରେ ବାପାଙ୍ଗି ମନ୍ଦିର ନିକଟରେ ଗୋଟିଏ ପଲସର ବାଇକରେ ତିନିଜଣ ଯୁବକ ଆସି ସେମାନଙ୍କ ଠାରୁ ୧୦ ହଜାର ଟଙ୍କା ଏବଂ ମୋବାଇଲ ଛଡାଇ ନେଇଥିଲେ। ସେମାନଙ୍କୁ ଗୋଡାଇ କିଛି ଦୂର ଜଙ୍ଗଲ ରାସ୍ତାରେ ଯାଇ ନିରାଶ ହୋଇ ଗାଡି ନିକଟକୁ ଫେରିଥିଲେ। ଫେରିବା ପରେ ଗାଡିରେ ସାମାଗ୍ରୀ ଗୁଡିକ ମଧ୍ୟ ନଥିବା ଦେଖିବାକୁ ପାଇଥିଲେ। ଏହାପରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ରିଙ୍କୁକୁ ଜେରା କରିବା ପରେ ଚାଳକ ସୁଧାକର ସହ ଅନ୍ୟ ଦୁଇ ଜଣଙ୍କ ସଂପୃକ୍ତି ରହିଥିବା ଜାଣିବାକୁ ପାଇଥିଲା। ଏହାପରେ ସାନକୋଦଣ୍ଡା ଗ୍ରାମରେ ଥିବା ଏକ ପୋଖରୀର ବୁଦା ମୂଳରୁ ଲୁଟ ହୋଇତିବା ୨୭ ପେଟି ସାମଗ୍ରୀ ଜବତ କରିଥିଲା। ଯାହାର ମୂଲ୍ୟ ପ୍ରାୟ ୬୦ ହଜାର ଟଙ୍କା ହେବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ଏଥିସହ ଟଙ୍କା ଓ ମୋବାଇଲ ଜବତ ହୋଇଥିବା ଶ୍ରୀ ଦାଶ ସୂଚନା ଦେଇଛନ୍ତି। ଏଥିରେ ସଂପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ସେ କହିଛନ୍ତି।