‘ସ୍ନାପ୍‌ଚାଟ୍‌’ରେ ପ୍ରେମ: ନାବାଳିକାଙ୍କୁ ଅପହରଣ ଉଦ୍ୟମ କରି ବନ୍ଧାହେଲେ ୨ ଅଭିଯୁକ୍ତ

ରାଉରକେଲା: ନାବାଳିକା(୧୩) ରାଉରକେଲାର। ଯୁବକ ପଞ୍ଜାବ ହୋସିୟାରପୁର ତଲୱାରା ଗାଁର। ଉଭୟଙ୍କ ମଧ୍ୟରେ ପ୍ରାୟ ବର୍ଷେ ହେଲା ସାମାଜିକ ଗଣମାଧ୍ୟମ ‘ସ୍ନାପଚାଟ୍‌’ରେ ପ୍ରେମ୍‌ ସମ୍ପର୍କ ଗଢ଼ିଉଠିଥିଲା। ପ୍ରେମ ନିବିଡ଼ ହେବାରୁ ଉଭୟେ ଲୁଚି କୁଆଡ଼େ ପଳାଇବାକୁ ମନସ୍ଥ କରିଥିଲେ। ଯୋଜନାମୁତାବକ ଯୁବକ ଜଣକ ଗତକାଲି ରାଉରକେଲାକୁ ଆସି ନାବାଳିକାକୁ ଅପରହଣ କରିନେବାକୁ ଉଦ୍ୟମ କରିବା ପ୍ରୟାସ ବିଫଳ ହୋଇଛି। ଯୁବକ ଓ ତା’ର ସହଯୋଗୀଙ୍କୁ ସେକ୍ଟର-୩ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

ସେକ୍ଟର-୨ ଅଞ୍ଚଳରେ ରହୁଥିବା ନାବାଳିକା ସହରର ଏକ ସ୍କୁଲରେ ସପ୍ତମ ଶ୍ରେଣୀର ଛାତ୍ରୀ। ଅନଲାଇନରେ ପାଠ ପଢ଼ିବାକୁ ପରିବାରବର୍ଗ ନାବାଳିକାଙ୍କୁ ଏକ ମୋବାଇଲ ଦେଇଥିଲେ। ତେବେ ନାବାଳିକା ସାମାଜିକ ଗଣମାଧ୍ୟମ ‘ସ୍ନାପଚାଟ୍‌’ରେ ପଞ୍ଜାବର ହରଜାତ ସିଂହ(୧୯)ଙ୍କ ସହ ଚିହ୍ନା ପରିଚୟ ହୋଇଥିଲେ। ଇତିମଧ୍ୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ପ୍ରାୟ ୧ ବର୍ଷ ହେଲା ଉଭୟେ ନିୟମିତଭାବେ କଥାବାର୍ତ୍ତା ହେଉଥିଲେ। ତେବେ ଦୁହେଁ ଘର ଛାଡ଼ି ପଳାଇବାକୁ ସ୍ଥିର କରିଥିଲେ। ଯୋଜନା ମୁତାବକ ମୁଖ୍ୟ ଅଭିଯୁକ୍ତ ହରଜାତ ତା’ର ଅନ୍ୟ ଜଣେ ବନ୍ଧୁ ଗଗନଦୀପ ସିଂହ ସହ ଗତକାଲି ରାଉରକେଲାରେ ପହଞ୍ଚିଥିଲେ। ଅପରପକ୍ଷରେ ବାପା-ମା’ ଘରେ ଶୋଇଥିବାବେଳେ ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ନାବାଳିକା ଘରୁ ବାହାରିଆସିଥିଲେ।

ତେବେ ପ୍ରାୟ ୪ଟାରେ ଝିଅ ଘରେ ନ ଥିବା ଦେଖି ପରିବାରସଦସ୍ୟ ଖୋଜାଖୋଜି କରିଥିଲେ ମଧ୍ୟ କିଛି ସୁରାକ୍‌ ପାଇପାରିନଥିଲେ। ଏଣୁ ସନ୍ଧ୍ୟା ପ୍ରାୟ ୬ଟାରେ ପରିବାରବର୍ଗ ସେକ୍ଟର-୩ ଥାନାରେ ଏତଲା ଦେଇଥି‌ଲା। ପୁଲିସ ତ୍ବରିତ ପଦକ୍ଷେପ ସ୍ବରୂପ ‌ମୋବାଇଲ ଟ୍ରାକ୍‌ କରିବାରୁ ନାବାଳିକା ଷ୍ଟେସନରେ ଥିବା ଜଣାପଡ଼ିଥିଲା। ଏହାପରେ ପୁଲିସ ସଦଳବଳ ଷ୍ଟେସନରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲା। ଏହାସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର