ମୂଲ୍ୟବାନ କାଠ ସହ ମିନିଟ୍ରକ୍‌ ଜବତ, ୨ ଗିରଫ

ତୁଷୁରା: ବେଆଇନ ଭାବେ କାଠ ଚାଲାଣ ହେଉଥିବା ସମୟରେ ବନ ବିଭାଗ ଚଢ଼ଉ କରି ବେନାଗୁରା- ଗୁଡ଼ଭେଲା ରାସ୍ତାରେ ଏକ କା‌ଠ‌ବୋଝେଇ ମିନିଟ୍ରକ୍‌କୁ ଜବତ କରିଛି। ଏହି ଘଟଣାରେ ତୁଷରା ଅଞ୍ଚଳର ସାନୁ ମହାରଣା (୨୦ବର୍ଷ) ଓ ବିବେକ ଭୋଇ (୨୧ବର୍ଷ)ଙ୍କୁ ଗିରଫ କରାଯାଇଛି।

ପ୍ରକାଶ ଯେ ଶନିବାର ରାତି ପ୍ରାୟ ୧ଟା ସମୟରେ କାଠ ଚୋରା ଚାଲାଣ ସଂପର୍କରେ ସୂଚନା ପାଇ ବଲାଙ୍ଗୀର ଜିଲ୍ଲା ଦେଓଗାଁ ରେଂଜ ଅନ୍ତର୍ଗତ ଗୁଡ଼ଭେଲା ଓ କୁଡ଼ାସିଙ୍ଗା ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ କରଯାଉଥିଲା। ଏହି ସମୟରେ ରାମପୁର ଥାନା ବେନାଗୁରା ରାସ୍ତାରୁ ଗୁଡ଼ଭେଲା ରାସ୍ତା ଦେଇ ଆସୁଥିବା ମିନିଟ୍ରକ୍‌ (ଓଡି ୦୩ କ୍ୟୁ ୬୧୭୮)କୁ ବନ କର୍ମଚାରୀମାନେ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ତୀବ୍ର ଗତିରେ ଗାଡ଼ି ଫେରାର୍‌ ହୋଇଯାଇଥିଲା। ବନ କର୍ମଚାରୀମାନେ ତାର ପିଛା କରିଥିଲେ। ନିମୁରସିଂଙ୍ଗା ଓ ଗୁଣଗାମାଳ ରାସ୍ତାର ସ୍କୁଲ ନିକଟ ବୁଲାଣିଠାରେ ଗାଡ଼ିଟି ଭାରସାମ୍ୟ ହରାଇ ବିଲ ଭିତରକୁ ଓଲଟି ପଡ଼ିଥିଲା। ବନ କର୍ମଚାରୀମାନେ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଦୁଇ ଅଭିଯୁକ୍ତ ସାନୁ ଓ ବିବେକଙ୍କୁ ଉଦ୍ଧାର କରିଥିଲେ। ଯାଂଚ ବେଳେ ଗାଡ଼ିରୁ ୭୮ଖଣ୍ତ ସାଇଜ୍‌ ଶାଳ କାଠ ମିଳିଥିଲା। ଗାଡ଼ିକୁ ଜେସିବି ଦ୍ବାରା ବିଲରୁ ଉଦ୍ଧାର କରାଯାଇ ଗୁଡ଼ଭେଲା ଫରେଷ୍ଟ ଅଫିସରେ ରଖାଯାଇଛି। ଅଭିଯୁକ୍ତ ଦ୍ବୟଙ୍କୁ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ଗୁଡ଼ଭେଲା ଫରେଷ୍ଟର ମଧୁସୂଦନ ଚାନ୍ଦ ସୁଚନା ଦେଇଛନ୍ତି। ଏହି ଚଢ଼ଉରେ କୁଡ଼ାସିଂହା ଫରେଷ୍ଟର ଜୟକୃଷ୍ଣ ଭୋଇ, ଜାମୁଟ ଫରେଷ୍ଟଗାର୍ଡ଼ ପ୍ରଶାନ୍ତ ବେହେରା, ଟାପସୁଗୁଡ଼ା ଫରେଷ୍ଟଗାର୍ଡ଼ ଇତିଶ୍ରୀ ବଢ଼ିଆ, ଧନପୁର ବିଟ୍‌ର ଯୁଧିଷ୍ଠିର ରାଉତ, ତୁଳସୀ ସ୍ବାଇଁ, ପ୍ରଜ୍ଞା ପିୟଦର୍ଶିନୀ ମହାରଣା, କିଶାନ ରଣା ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର