ଭଞ୍ଜନଗର: ଅଟୋରେ ନିଜ ଗାଁକୁ ଫେରୁଥିବା ବେଳେ ୩ ଜଣ ଯାତ୍ରୀଙ୍କୁ ନିଶା ଦେଇ ଲୁଟ କରିଥିବା ଘଟଣାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ତମାଣ୍ଡୋ ଥାନା ଅନ୍ତର୍ଗତ ପୁବୁସାହି ଗାଁର ଭାସ୍କର ସାହୁଙ୍କ ପୁଅ ଭରତ ସାହୁ (୪୬) ଓ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ପଙ୍କଳାସାହିର ଆନନ୍ଦ ଗୌଡ଼ଙ୍କ ପୁଅ ସତ୍ୟବାନ ଗୌଡ଼ (୪୨)। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ଦୁଇଟି ମୋବାଇଲ, ଏକ ଅଟୋ ରିକ୍ସା (ଓଆର ୦୭ କ୍ୟୁ ୩୨୨୨) ଓ ନଗଦ ୪ ହଜାର ଟଙ୍କା ଜବତ କରିଛି।
ଭଞ୍ଜନଗର ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଗଣ୍ଡଧାରା ଗାଁର ଚିଙ୍କୁ ଗୌଡ଼ ଓ ଚନ୍ଦନ ନାଏକ ଏବଂ କୁଶାପାଲି ଗାଁର ବୁଲୁ ନାଏକ ଗତ ନଭେମ୍ବର ୧୧ ତାରିଖରେ ଭୁବନେଶ୍ୱରରୁ ବରାଳଦେବୀନ ନାଁରେ ଏକ ବସ୍ରେ ନିଜ ଘରକୁ ଫେରୁଥିଲେ। ସେମାନେ କୌଣସି କାରଣରୁ ଜଗନ୍ନାଥପ୍ରସାଦରେ ଓହ୍ଲାଇ ନ ପାରି ଭଞ୍ଜନଗରରେ ପହଞ୍ଚିଥିଲେ। ଭଞ୍ଜନଗରରେ ଓହ୍ଲାଇବା ପରେ ତିନି ଜଣ ଜଗନ୍ନାଥପ୍ରସାଦ ଯିବା ପାଇଁ ବସ୍କୁ ଅପେକ୍ଷା କରିଥିଲେ।
ଏହି ସମୟରେ ଅଭିଯୁକ୍ତ ଭରତ ଓ ସତ୍ୟବାନ ଏକ ଅଟୋ ନେଇ ଚିଙ୍କୁ, ଚନ୍ଦନ ଓ ବୁଲୁଙ୍କ ନିକଟରେ ପହଞ୍ଚି ଲିଫ୍ଟ ଦେବାକୁ କହିଥିଲେ। ଅଭିଯୁକ୍ତ ଭରତ ଓ ସତ୍ୟବାନ ଅଟୋରେ ଥିବା ତିନି ଯାତ୍ରୀଙ୍କୁ ବାଟରେ ଚା’ ପିଇବାକୁ ଦେଇଥିଲେ। ଚା’ରେ ନିଶାଦ୍ରବ୍ୟ ମିଶି ଥିବାରୁ ତିନି ଜଣ ଯାତ୍ରୀ ଚେତା ହରାଇଥିଲେ। ଏହା ପରେ ଅଭିଯୁକ୍ତମାନେ ଦୁଇଟି ମୋବାଇଲ ଫୋନ୍ ଓ ଚାରି ହଜାର ଟଙ୍କା ନେଇଯାଇଥିଲେ ଏବଂ ଚିଙ୍କୁ, ଚନ୍ଦନ ଓ ବୁଲୁଙ୍କୁ ଜଙ୍ଗଲରେ ଫିଙ୍ଗି ଦେଇ ଚାଲି ଯାଇଥିଲେ।