ପଶ୍ଚିମବଙ୍ଗକୁ ପିକଅପରେ ଚାଲାଣ ହେଉଥିଲା କାଠ, ଦୁଇ ଗିରଫ

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ରେଞ୍ଜ ଅଂଚଳରୁ ପଶ୍ଚିମବଙ୍ଗ ରାଜ୍ୟକୁ ଚୋରା ଚାଲାଣ ହେଉ ଥିବା ଏକ ପିକଅପ ଭ୍ୟାନକୁ ବନବିଭାଗ ଅଟକ ରଖିବା ସହିତ ଦୁଇ ଜଣକୁ ଗିରଫ କରିଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରେଞ୍ଜ ଅଧିକାରୀ ତପନ କୁମାର ଦାସ ଅତିରିକ୍ତ ବନାଞ୍ଚଳ ଅଧିକାରୀ ଶୈଳେନ୍ଦ୍ର ଦାସଙ୍କୁ ଘଟଣା ସ୍ଥଳକୁ ପଠାଇ ନଜର ରଖିଥିବା ବେଳେ ବିଳମ୍ବିତ ରାତ୍ର ସମୟରେ ଆସୁଥିବା କାଠ ବୋଝେଇ ପିକଅପ (ଓଆରଓଆଇଜି -୫୧୦୩) କୁ ଜବତ କରିବା ସହିତ ଦୁଇ ଅଭିଯୁକ୍ତକୁ ବନବିଭାଗ ଗିରଫ କରିଛି।

ଶାଳ କାଠ ସହିତ ଅନ୍ୟାନ୍ୟ କାଠ ମିଶି ୧୬ଟି କାଠ ଗଣ୍ଡି ଅଛି, ଯାହାର ଅନୁମାନିକ ମୁଲ୍ୟ ୫୦ ହଜାର ଟଙ୍କା ହେବ। ଝାରପୋଖରିଆ ଥାନା ଅନ୍ତର୍ଗତ ରତିଲା ବାରୁଆବେଡା ଗ୍ରାମର କୃଷ୍ଣଚନ୍ଦ୍ର ଚୌଧୁରୀ (୩୨) ଓ କପାଡିହା ଗ୍ରାମର ବୈକୁଣ୍ଠ ନାଥ ପାତ୍ର (୫୫)କୁ ବନବିଭାଗ ଗିରଫ କରି ବାରିପଦା କୋର୍ଟ ଚାଲାଣ କରିଛି। ଚଢ଼ାଉ ବେଳେ ବନରକ୍ଷୀ ମାନସ ରଞ୍ଜନ ମହାକୁଡ, ଶମ୍ଭୁନାଥ କର, ଟିକା ଗୋବିନ୍ଦ ଗିରି, ବିକାଶ ନାଏକ ସାମିଲ ଥିଲେ।

ସମ୍ବନ୍ଧିତ ଖବର