ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ତିଳେଇବଣି ଫାଣ୍ଡି ଅଞ୍ଚଳରେ ପୁଲିସ ପକ୍ଷରୁ ଯାନବାହାନ ଯାଞ୍ଚ ବେଳେ ଉକ୍ତ ଅଞ୍ଚଳର ଜଣେ ଯୁବ ଠିକାଦାରଙ୍କ ଗାଡ଼ିରୁ ଗୋଟିଏ ପିସ୍ତଲ ଓ ୨ ଟି ଜିବନ୍ତ ଗୁଳି ଜବତ କରାଯାଇଛି। ଏହା ସହିତ ଉକ୍ତ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ରବିବାର ଦେବଗଡ଼ ଆଦର୍ଶ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ମନୋଜ ମହାନ୍ତ ଏହି ସୂଚନା ଦେଇଛନ୍ତି।

Advertisment

ଏସ୍‌ପିଙ୍କ ସୂଚନା ଅନୁଯା‌ୟୀ, ଶନିବାର ସନ୍ଧ୍ୟାରେ ପୁଲିସ ଯାନବାହାନ ଯାଞ୍ଚ କରୁଥିବା ସମୟରେ ତିଲେଇବଣି ଅଞ୍ଚଳର ଶୋଭେନ ସାମଲ (୨୮) ଏକ କାର (ଓଡି-୦୨ଭି-୯୦୦୦) ଯୋଗେ ସମ୍ବଲପୁର ପଟୁ ନିଜ ଘର ତିଳେଇବଣି ଅଭିମୁଖେ ଆସୁଥିଲେ। ଦେବଗଡ଼ ଥାନା ଆଇଆଇସି ସୁରେନ୍ଦ୍ର ନାୟକ ଓ ସବ ଇନ୍‌ସପେକ୍ଟର ବୁଦ୍ଧରାୟ ମାଝୀ ଗାଡ଼ିକୁ ଅଟକାଇ ଯାଞ୍ଚ କରିବା ସମୟରେ ଗାଡିରୁ ଗୋଟିଏ ପିସ୍ତଲ ଓ ଦୁଇଟି ଗୁଳି ମିଳିଥିଲା। ଘଟଣାସ୍ଥଳରେ ପୁଲିସ ମାରଣାସ୍ତ୍ର, ଗୁଳି, କାର ଓ ମୋବାଇଲ ଜବତ କରି ଦେବଗଡ଼ ଥାନାକୁ ଆଣି ଅଧିକ ପଚରାଉଚରା କରିଥିଲା। ପରେ ଶୋଭେନ ଉକ୍ତ ମାରଣାସ୍ତ୍ରକୁ ସମ୍ବଲପୁର ଦଳେଇପଡା ଅଞ୍ଚଳର ମହମ୍ମଦ ନଇମ ଖାଁଙ୍କଠାରୁ ଆଣିଥିବା ପ୍ରକାଶ କରିଥିଲା। ଶୋଭେନଙ୍କ ବୟାନ ଆଧାରରେ ଦେବଗଡ଼ ଥାନା ପୁଲିସ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଅଭିଯୋଗରେ ନଇମଙ୍କୁ ସମ୍ବଲପୁରରୁ ଗିରଫ କରିଛି। ତେବେ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ଆଜି ପୁଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିଛି।