ପୁଲିସ ଚଢାଉ କରି ଜବତ କଲା ୪୦ ଲକ୍ଷ ଟଙ୍କାର ଗଂଜେଇ, ୨ ଗିରଫ, ଦୌଡି ପଳାଇଲେ ୧୨ ଜଣ

ଡେରା ପକାଇଥିଲେ ମାଫିଆ, ଚାଲିଥିଲା ଚାଲାଣ ପ୍ରସ୍ତୁତି

ଫୁଳବାଣୀ: କନ୍ଧମାଳରୁ ବାହାରକୁ କମୁନି ଗଂଜେଇ ଚାଲାଣ। କରୋନା ଲକ୍ ଡାଉନ ପାଇଁ ୩-୪ ମାସ ହେଲା ପୁଲିସର ଧରପଗଡ ହେବା ଫଳରେ ଗଂଜେଇ ନଷ୍ଟ ହେବାକୁ ବସିଲାଣି। ଯେ କୌଣସି ଉପାୟରେ ଗଂଜେଇ ବିକ୍ରି କରିବାକୁ ଚାଷୀ ଚାହିଁ ବସିଥିବା ବେଳେ ମାଫିଆମାନେ ବି ଟିକେ କମ୍ ମୂଲ୍ୟରେ କିଣିବାକୁ ସଜାଗ ଅଛନ୍ତି। ଏବେ ଲକ୍ ଡାଉନ କୋହଳ ହେବା ପରେ ମାଫିଆମାନେ ଗଂଜେଇ ଚାଲାଣ ପାଇଁ ମଉକା ପାଇ ଯାଇଛନ୍ତି। ୪ ସପ୍ତାହ ହେଲା ବିଭିନ୍ନ ଥାନା ପୁଲିସ ପକ୍ଷରୁ ଧରପଗଡ କରାଯାଇ ବିପୁଳ ପରିମାଣର ଗଂଜେଇ ଜବତ ହେବା ସହ ଗାଡି ଜବତ କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫରେ ପୁଲିସ କର୍ମଚାରୀ ବି ରହିଛନ୍ତି।

ଗୋଛାପଡା ପୁଲିସକୁ ଆଜି ବଡ ସଫଳତା ମିଳିଛି। ପାଇରାଜୁ ପଞ୍ଚାୟତ ଡେସଆରୁ ଗାଁର ବେଞ୍ଜି କହଁରଙ୍କ ବାଡିରେ ବିପୁଳ ପରିମାଣର ଗଂଜେଇ ମହଜୁତ ଅଛି। ମାଫିଆମାନେ ନେବାକୁ ସେଠାରେ ଡେରା ପକାଇଛନ୍ତି। ଏଭଳି ଖବର ବିଶେଷ ସୁତ୍ରରୁ ମିଳିବା ପରେ ଏସପି ପ୍ରତୀକ ଗୀତା ସିଂଙ୍କ ନିର୍ଦ୍ଦେଶମତେ ଫୁଲବାଣୀ ଉପଖଣ୍ଡ ପୁଲିସ ଅଧିକାରୀ ମହେନ୍ଦ୍ରନାଥ ମୁର୍ମୁ ଓ ଗୋଛାପଡା ଥାନାଧିକାରୀ ତୃପ୍ତିରଂଜନ ନାୟକ ଅଚାନକ ସେଠାରେ ଚଢାଉ କରିଥିଲେ। ପୁଲିସକୁ ଦେଖି ୧୨ ଜଣ ଅଭିଯୁକ୍ତ ଦୌଡି ପଳାଇ ଯାଇଥିବା ବେଳେ ବିଞ୍ଜେ କହଁର ଓ ବଡଗା ଦିଗାଲ ନାମକ ୨ ଜଣଙ୍କୁ ଗିରଫ କରାଯାଇଥିଲା।

ଜବତ ଗଂଜେଇ ୨୦ କ୍ବିଣ୍ଟାଲ ୨୦ କିଲୋ।। ଏହାର ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି। ଫେରାରମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଶ୍ରୀ ମୁର୍ମୁ କହିଛନ୍ତି। କେଶ ନଂ ୩୫/୨୦୨୦ରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସଂପ୍ରତି କନ୍ଧମାଳରୁ ଅଧିକରୁ ଅଧିକ ଗଂଜେଇ ଚାଲାଣ ହେଉଥିବା ବେଳେ ଏହାକୁ ରୋକିବା ନିମନ୍ତେ ପୁଲିସର ଧରପଗଡ ଆହୁରି ଜୋରସୋର ହେବା ଜରୁରୀ ହୋଇ ପଡିଛି।

ସମ୍ବନ୍ଧିତ ଖବର