ଖୋର୍ଦ୍ଧା: ଜାତୀୟ ମୁକ୍ତ ବିଦ୍ୟାଳୟ ନାମରେ ନକଲି ଯୁକ୍ତଦୁଇ ପ୍ରମାଣପତ୍ର ପ୍ରସ୍ତୁତ କରି ବିକ୍ରି କରିବା ମାମଲାରେ ସଦର ଥାନା ପୁଲିସ ୫ ତାରିଖରେ କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ଜଣେ ଅଧ୍ୟାପକ ତପନ କୁମାର ପୃଷ୍ଟିଙ୍କୁ ଗିରଫକରିଥିବା ବେଳେ ଆଜି ଗୁରୁବାର ଅନ୍ୟ ଦୁଇଜଣଙ୍କୁ ଗିରଫ କରିଛି। ଆଜି ଗୁରୁବାର ଖୋର୍ଦ୍ଧା ଉପଖଣ୍ଡଆରକ୍ଷୀ ଅଧୀକ୍ଷକ ଦିଲ୍ଲୀପ କୁମାର ଦାସ ଏନେଇଏକ ବିବୃତ୍ତିରେ ସୂଚନା ଦେଇ କହିଛନ୍ତି, ‘ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ସଦର ଥାନାର ଭାରପ୍ରାପ୍ତ ଅଧିକାରୀ କାହ୍ନୁଚରଣ ପୃଷ୍ଟିଙ୍କ ନେତୃତ୍ବରେ ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଏଥିରେ ଆଜି ଗୁରୁବାର ଦୁଇଜଣଙ୍କୁ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତ ମାନେ ହେଲେ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଧୀନ ଚୁଆଁପୁରର କାର୍ତ୍ତିକ ବେରିହା (୨୯) ଓ ଜଟଣୀ ଥାନା ଅଧୀନ ରାମଚନ୍ଦ୍ରପୁରର ମହମ୍ମଦ ସାଜିଦ ହୁସେନ୍ (୩୩)। କାର୍ତ୍ତିକ ଭୁବନେଶ୍ବର ଖଣ୍ଡଗିରିରେ ରହୁଥିବା ବେଳେ ମହମ୍ମଦ ସାଜିଦ ଭୁବନେଶ୍ବର ଏୟାରଫିଲ୍ଡ ଥାନା ହାଇଟେକ୍ ପ୍ଲାଜା ନିକଟ କଣ୍ଟିଲୋ କୁହା ଠାରେ ରହୁଥିଲେ। ପଚରାଉଚୁରାରେ, ଉଭୟ ଏଭଳି ନକଲି ମାଟ୍ରିକ୍ ଓ ଯୁକ୍ତ ଦୁଇ ପ୍ରମାଣ ପତ୍ର ଶତାଧିକ ଲୋକଙ୍କୁ ଦେଇଥିବା ସ୍ବୀକାର କରିଛନ୍ତି। ମାମଲାର ତଦନ୍ତ ଜାରି ରହିଛି ଓଏଥିରେ ସମ୍ପୃକ୍ତ ଅନ୍ୟ ଅପରାଧୀଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଶ୍ରୀ ଦାସ କହିଛନ୍ତି। ସୂଚନାଯୋଗ୍ୟ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ଜଣେ ଯୁକ୍ତଦୁଇ ଫେଲ୍ ହୋଇଥିବା ଛାତ୍ର ଅଭିଷେକ ସାମନ୍ତରାୟଙ୍କ ଠାରୁ ୩୩ ହଜାର ଟଙ୍କା ନେଇ ସେହି ମହାବିଦ୍ୟାଳୟର ଅଧ୍ୟାପକ ତପନ କୁମାର ପୃଷ୍ଟି ମୁକ୍ତ ବିଦ୍ୟାଳୟର ଯୁକ୍ତ ଦୁଇ ପାସ୍ ପ୍ରମାଣପତ୍ର ଦେଇଥିଲେ। ପରେ ଏହି ପ୍ରମାଣପତ୍ର ନକଲି ଥିବା ଜଣାଯାଇଥିଲା। ଏହି ଘଟଣାରେ ୩ ତାରିଖରେ ଲିଖିତ ଅଭିଯୋଗ ହେବା ପରେ ୫ ତାରିଖରେ ଉକ୍ତ ଅଧ୍ୟାପକଙ୍କୁ ଗିରଫ କରାଯାଇଥିଲା।