କୋଷାଗୁମୁଡ଼ା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ୨ ଗିରଫ: ପୁଲିସ କହିଲା ପ୍ରତ୍ୟାଖ୍ୟାତ ପ୍ରେମିକ ନେଇଥିଲା ପ୍ରତିଶୋଧ

ନବରଙ୍ଗପୁର: କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ଗୁମଣ୍ଡଳୀ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ୨୦ ଦିନ ପରେ ପୁଲିସକୁ ସଫଳତା ମିଳିଛି। ଏହି ଘଟଣାରେ ସଂପୃକ୍ତ ଦୁଇ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ପକନାଗୁଡା ଗାଁର ଖାଡି ଭତରା ଓ ଅନ୍ୟ ଜଣେ ଗୁମଣ୍ଡଳୀ ଗାଁର ବଳି ମାଝୀ ।  ଖାଡ଼ି ଭତରାର ବିବାହ ପ୍ରସ୍ତାବକୁ ନାବାଳିକା ମନା କରିଦେବା ସହ ସମସ୍ତଙ୍କ ସମ୍ମୁଖରେ ଚାପୁଡ଼ା ମାରିଥିଲା। ଏଥିରେ ପ୍ରତିଶୋଧ ପରାୟଣ ହୋଇ ଖାଡ଼ି ଭତରା ଗୁମଣ୍ଡଳୀ ଗାଁର ବଳି ମାଝୀର ସହଯୋଗରେ ନାବାଳିକାଙ୍କୁ ହତ୍ୟା କରିଥିବା ନବରଙ୍ଗପୁର ଏସ୍.ପି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏଥିସହ ପୋଷ୍ଟମର୍ଟମ୍ ରିପୋର୍ଟ ଅନୁଯାୟୀ ନାବାଳିକା ସହ ଦୁଷ୍କର୍ମ ହୋଇ ନ ଥିବା ଏସ୍‌ପି ନିତିନ କୁଶଲକର କହିଛନ୍ତି। ସେ କହିଛନ୍ତି, ଅଭିଯୁକ୍ତମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବ ଓ ମାମଲାର ଅଧିକ ତଦନ୍ତ ଜାରି ରହିବ।

ନବରଙ୍ଗପୁର ସଦର ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ନିତିନ କୁଶଲକର କହିଛନ୍ତି, ଘଟଣାର ପରଦିନ ହତ୍ୟାକାଣ୍ଡସ୍ଥଳରୁ ୨ଟି ଜିନ୍ସ ପ୍ୟାଣ୍ଟ ମିଳିଥିଲା। ଜିନ୍ସ ପ୍ୟାଣ୍ଟ ମିଳିବା ପରଠାରୁ ପୁଲିସ ଘଟଣାର ତଦନ୍ତ କରୁଛି। ଏହି ହତ୍ୟାକାଣ୍ଡ ଘଟଣା ସହିତ ଆହୁରି କିଛି ଅଭିଯୁକ୍ତଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି।

ସୂଚନାଯୋଗ୍ୟ, ୨୦୧୯ ଡିସେମ୍ବର ୧୩ ତାରିଖ ରାତିରେ ନାବାଳିକା ଜଣକ ପରିସ୍ରା କରିବାକୁ ଘର ବାହାରକୁ ଆସିଥିଲେ। ଏହାପରେ ସେ ନିଖୋଜ ହୋଇଯାଇଥିଲେ। ପରଦିନ ସକାଳୁ ଗାଁ ଠାରୁ ପ୍ରାୟ ୩ଶହ ମିଟର ଦୂରରେ ଗୋଟିଏ ଜମିରେ ନାବାଳିକା ଜଣକ ମୁହଁ ମାଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରୁ ୨ଟି ପୁରୁଷ ଜିନ୍ସ ପ୍ୟାଣ୍ଟ ଓ ଗୋଟିଏ ହଳ ଚପଲ ପଡ଼ିଥିବାରୁ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। ଘଟଣା ଦିନ ରାତି ପ୍ରାୟ ୨ଟାରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ବିଳମ୍ବିତ ରାତିରେ ଶବ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଉପଜିଲ୍ଲାପାଳ ଭାସ୍କର ରଇତ, ତହସିଲଦାର ସବ୍ୟସାଚୀ ଜେନା, ମା’ ଘର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ, କଂଗ୍ରେସ ଜିଲ୍ଲା ସଭାପତି ମୁନା ତ୍ରିପାଠୀ, ସଂଜୀବ ବିଷୋୟୀ ପ୍ରମୁଖଙ୍କ ଉପସ୍ଥିତିରେ ଖ୍ରୀଷ୍ଟିଆନ ରୀତିନୀତିରେ ଶବକୁ କବର ଦିଆଯାଇଥିଲା।

ତେବେ ପୁଲିସ ପକ୍ଷରୁ ପରିବାରକୁ ପୋଷ୍ଟମର୍ଟମ୍‌ ରିପୋର୍ଟ ଦେବାରେ ବିଳମ୍ବ କରାଯାଇଥିଲା। ଏହାର ପ୍ରତିବାଦରେ ଏବଂ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବି ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ନବରଂଗପୁର ବନ୍ଦ ପାଳନ କରାଯାଇଥିଲା। ଏହି ଅବସରରେ କଂଗ୍ରେସ କର୍ମୀମାନେ ରାସ୍ତାରୋକ କରିବା ସହ ଏକ ଗାଡ଼ି ଜାଳି ଦେଇଥିଲେ। ଏ ନେଇ ପୁଲିସ ନିଜ ଆଡ଼ୁ ପୂର୍ବତନ ସାଂସଦ ତଥା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ସମେତ ୨୦ ଜଣ କଂଗ୍ରେସ କର୍ମୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

ସମ୍ବନ୍ଧିତ ଖବର