ରାଉରକେଲା: ଦେଶୀ ମଦ ତିଆରି ଚାଲିଥିଲା। ଠିକ୍ ଏତିକିବେବେଳ କିନ୍ତୁ ଅବକାରୀ ପୁଲିସ ଚଢ଼ଉ କରି ଦେଶୀ ମଦ ବେପାରୀଙ୍କ ଯୋଜନାକୁ ଭଣ୍ଡୁର କରି ଦେଇଛି। ଦେଶୀ ମଦ ତିଆରିରେ ଜଡ଼ିତ ଲାଠିକଟା ଥାନା ଅନ୍ତର୍ଗତ ସୋନାପର୍ବତର ସନାତନ ଭୂମିଜ(୪୧) ଓ ପ୍ରେମିକା ଲୋହାର(୩୪)ଙ୍କୁ ଗିରଫ କରାଯାଉଛି। ଅଭିଯୁକ୍ତଙ୍କ ପାଖରେ ୨୬୦ ଲିଟର ଦେଶୀ ମଦ ଓ ୪୧ କ୍ବିଣ୍ଟାଲ ମହୁଲ ପୋଚ ଜବତ ହୋଇଛି। ଜବତ ମହୁଲ ପୋଚର ଦାମ୍ ପ୍ରାୟ ୨ ଲକ୍ଷ ଟଙ୍କା ହେବ। ପୁଲିସ ସୂଚନା ଅନୁସାରେ, ଦୀର୍ଘ ଦିନ ହେଲା ଅଭିଯୁକ୍ତ ମାନେ ସୋନାପର୍ବତ ଅଞ୍ଚଳରେ ଦେଶୀ ମଦ ତିଆରି କରୁଥିଲେ।
ପୂର୍ବରୁ ଗଚ୍ଛିତ ରଖି ମହୁଲ ଫୁଲକୁ ପୋଚରେ ପରିଣତ କରି ଦେଶୀ ମଦ ପ୍ରସ୍ତୁତ କରୁଥିଲେ। ପ୍ରତିଦିନି ଭଳି ଆଜି ଶୁକ୍ରବାର ପୂର୍ବାହ୍ନରେ ଅଭିଯୁକ୍ତ ମାନେ ମଦ ତିଆରିରେ ବ୍ୟସ୍ତ ଥିବାବେଳେ ଅବକାରୀ ପୁଲିସ ସଦଳବଳ ଅତର୍କିତ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ ମଦ ତିଆରିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ସମେତ ପ୍ରସ୍ତୁତ ହୋଇସାରିଥିବା ଦେଶୀ ମଦ ଜବତ ହୋଇଛି। ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନିର୍ଦ୍ଦେଶରେ ତଥା ସବ୍ଇନ୍ସପେକ୍ଟର ଶ୍ରୀଧର ମହାନ୍ତିଙ୍କ ନେତୃତ୍ବରେ ଚଢ଼ଉ କରାଯାଇଥିଲା।