ଉମରକୋଟ: ନକଲି ସୁନା ଶଙ୍ଖ ବିକ୍ରି କରି ୮ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ପୁଲିସ ୨ ଜଣଙ୍କୁ ଗିରଫ କରି ଆଜି ଶନିବାର କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନା ଅନୁସାରେ, ତାମିଲନାଡୁର କୁଡ଼ାଲୁର ଜିଲ୍ଲାର ସମ୍ମାତୀକୁପାମ୍‌ ଗ୍ରାମର ଏ. ମାଣିଗନ୍ଦନ (୪୦) ଗତ ୨/୪/୨୩ ତାରିଖ ଦିନ ଶ୍ରମିକଙ୍କୁ ଖୋଜିକି ନେବାପାଇଁ ଉମରକୋଟ ଆସିଥିଲେ। ଏହି ସମୟରେ ଉମରକୋଟ ଥାନା ଅନ୍ତର୍ଗତ କାନକୋଟ ଗ୍ରାମର ସୁରେନ୍ଦ୍ର ହରିଜନ (୨୭) ଓ ଡ।ବୁଗାଁ ଥାନା ଅନ୍ତର୍ଗତ କଇଗାଁ ଗ୍ରାମର ବଳରାମ ପନକା (୨୪)ଙ୍କ ସହ ସାକ୍ଷାତ ହେଇଥିଲା। ଏହି ଦୁଇଜଣ ମାଣିଗନ୍ଦନଙ୍କୁ ଏକ ସୁନା ଶଙ୍ଖ ଦେଖାଇଥିଲେ। ଦୁଇ ଅଭିଯୁକ୍ତ ଏହାର ମୂଲ୍ୟ ୧୦ ଲକ୍ଷ ଟଙ୍କା କହିଥିଲେ, ଶେଷରେ ଏହା ୮ ଲକ୍ଷ ଟଙ୍କାରେ ଡିଲ ହେଇଥିଲା।

Advertisment

ମାଣିଗନ୍ଦନ ସାଙ୍ଗେ ସାଙ୍ଗେ ବଳରାମ ପନକାର ମୋବାଇଲ ନମ୍ବର ୯୩୪୮୧୮୦୩୧ ରେ ୩୦ହଜାର ଟଙ୍କା ଗୁଗଲ୍‌ ପେ’ରେ ଟ୍ରାନସଫର କରିଥିଲେ ଓ ନଗଦ ୭. ୭୦.୦୦୦ ଦେଇଥିଲେ। ମାଣିଗନ୍ଦନ ସୁନା ଶଙ୍ଖକୁ ଧରି ତାମିଲନାଡୁ ଯାଇ ସେଠାରେ ସୁନାରି ନିକଟରେ ଏହି ଶଙ୍ଖକୁ ଦେଖାଇଥିଲେ। ସୁନାରି ଯେତେବେଳେ ଏହା ସୁନା ନୁହେଁ ପିତଳ ବୋଲି କହିଲେ ମାଣୀଗନ୍ଦନଙ୍କର ହୋସ ଉଡ଼ିଯାଇଥିଲା। ୧୧ ତାରିଖ ଦିନ ମାଣିଗନ୍ଦନ ଉମରକୋଟ ଆସି ଥାନା ଆଇଆଇସି ଗୋବିନ୍ଦ ଚନ୍ଦ୍ର ବୁରୁଦାଙ୍କୁ ଲିଖିତ ଭାବରେ ଅଭିଯୋଗ କରିଥିଲେ। ଅଭିଯୋଗ ‌ପରେ ଥାନା ଆଇଆଇସି ଗୋବିନ୍ଦ ଚନ୍ଦ୍ର ବୁରୁଦା ଏକ ଟିମ୍ ଗଠନ କରି ଏହି ଟିମର ନେତୃତ୍ବ ନିଜେ ନେଇଥିବାବେଳେ ଟିମରେ ସବଇନ୍ସପେକ୍ଟର ସନ୍ତୋଷ କୁମାର ମାଝୀ ଓ ଅକ୍ଷୟ କୁମାର ମିଶ୍ରଙ୍କୁ ନେଇ ତଦନ୍ତ ଆରମ୍ଭ କରି ଦେଇଥିଲେ।

ଉମରକୋଟ ପୁଲିସ ସାଇବର ସେଲର ସହାୟତା ନେଇ ଅଭିଯୁକ୍ତର ମୋବାଇଲ ନମ୍ବରକୁ ଟ୍ରାକ୍‌ କରି ସୁରେନ୍ଦ୍ର ହରିଜନ ଓ ବଳରାମକୁ ସେମାନଙ୍କ ଗାଁରୁ ଆଜି ଶନିବାର ଗିରଫ କରିଛି। ଏହି ଦୁଇ ଅଭିଯୁକ୍ତଙ୍କ ଠାରୁ ନଗଦ ୨, ୬୮, ୦୦୦ ଟଙ୍କା ଓ ୪ କେଜି ୧୭୦ ଗ୍ରାମର ପିତ୍ତଳ ଶଙ୍ଖକୁ ମଧ୍ୟ ଜବତ କରିଛି ଉମରକୋଟ ପୁଲିସ। ତେବେ ଏହି ଘଟଣାରେ ଆହୁରି କିଛି ଯୁବକଙ୍କର ସମ୍ପୃକ୍ତି ରହିଛି ତାହାର ତଦନ୍ତ କରି ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ଗୋବିନ୍ଦ ଚନ୍ଦ୍ର ବୁରୁଦା ସୂଚନା ଦେଇଛନ୍ତି। ତେବେ ଏପରି ନକଲି ସୁନା ଶଙ୍ଖା ବିକ୍ରି ଘଟଣା ଦ୍ଵିତୀୟଥର ପାଇଁ ଉମରକୋଟରେ ଘଟିଛି। ୨ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇପିସି ୪୨୦ ରେ ପୁଲିସ ମୋକଦ୍ଦମା ରୁଜୁ ଆଜି କୋର୍ଟ ଚାଲାଣ କରିଛି। ସବଇନ୍ସପେକ୍ଟର ଅକ୍ଷୟ ମିଶ୍ର ଘଟଣାର ତଦନ୍ତ ଭାର ନେଇ ଅନୁସନ୍ଧାନ ଜାରି ରଖିଛନ୍ତି। ଏପରି ଘଟଣା ବର୍ଷକ ମଧ୍ୟରେ ଉମରକୋଟ ଠାରେ ଦ୍ଵିତୀୟଥର ପାଇଁ ଘଟିଛି। ଏଥି ପୂର୍ବରୁ ନକଲି ସୁନା ଶଙ୍ଖକୁ କିଣି ନୟାଗଡ଼ର ଜଣେ ବ୍ୟକ୍ତି ଠକାମୀରେ ପଡ଼ିଥିଲେ।