ଅପହରଣ ପରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତଙ୍କ ସହ ୨ ଗିରଫ

ବାରିପଦା: ଅପହରଣ, ଦୁଷ୍କର୍ମ ପରେ ଶାରୀରିକ ନିର୍ଯାତନା ଘଟଣାରେ ଅଭିଯୁକ୍ତ ଯୁବକ ରମାକାନ୍ତ ସିଂ ଓରଫ୍‌ ପାଣ୍ଡୋ ଓ ତାର ବାପାକୁ ପୁଲିସ ଗିରଫ କରିଛି। ବିଭିନ୍ନ ସ୍ଥାନରେ ଚଢାଉ ପରେ ପ୍ରଥମେ ଅଭଯୁକ୍ତ ପାଣ୍ଡେର ପିତା ଗଦାଧର ସିଂ ଏବଂ ମା’ କୋଇଲି ସିଂଙ୍କୁ ତାଙ୍କ ଘର ଅଞ୍ଚଳରୁ ପୁଲିସ ଗିରଫ କରିଥିଲା। ମୟୂରଭଞ୍ଜ ସମେତ ଭଦ୍ରକ ଏବଂ ବାଲେଶ୍ୱରର ବିଭିନ୍ନ ସ୍ଥାନରେ ଚଢଉ ପରେ ନୀଳଗିରିରୁ ଦୁଷ୍କର୍ମକାରୀ ରମାକାନ୍ତ ସିଂ ଓରଫ୍‌ ପାଣ୍ଡେକୁ ଆଜି ପୁଲିସ୍‌ ଗିରଫ କରିବାରେ ସଫଳ ହୋଇଥିଲା।

ସୂଚନା ଅନୁସାରେ ମାସାଧିକାଳ ନାନା ଯନ୍ତ୍ରଣା ସହିବା ପରେ ଶେଷରେ ଅପହର୍ତ୍ତାଙ୍କ କବଳରୁ ମୁକୁଳିଛନ୍ତି ଜଣେ ନାବାଳିକା ପୀଡ଼ିତା। ଗତ ମାସ ୧୭ତାରିଖରେ ମୟୂରଭଂଜ ଜିଲ୍ଲା ବଡ଼ସାହି ଥାନା ଅଞ୍ଚଳରେ ହୋଇଥିବା ଏହି ଘଟଣାରେ ଜଣେ ୧୫ବର୍ଷୀୟ ନାବାଳିକା ଅପହର୍ତ୍ତା ଏବଂ ତାଙ୍କ ପରିବାର ପକ୍ଷରୁ ମାନସିକ ଏବଂ ଯନ୍ତ୍ରଣାଦାୟକ ଶାରୀରିକ ନିର୍ଯାତନାର ଶିକାର ହୋଇ ନ୍ୟାୟ ପାଇଁ ଏସ୍‌ପି’ଙ୍କ ଦ୍ଵାରସ୍ଥ ହୋଇଥିଲେ।

ସୂଚନାଯୋଗ୍ୟ, ଏହି ଘଟଣାରେ ଅପହରଣର ଦୁଇ ଦିନ ପରେ ବଡ଼ସାହି ଥାନାରେ ଅପହର୍ତ୍ତା ରମାକାନ୍ତ ସିଂ(୨୦) ଓରଫ୍‌ ପାଣ୍ଡେ’ଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା। ଏହି ଥାନା ଅଞ୍ଚଳର ଅର୍ଜୁନବାରିଆ(ବାଉଁଶବଣୀ ସାହି)ର ଅପହର୍ତ୍ତା ଜଣଙ୍କ ଘରେ କେହି ନଥିବାରୁ ସୁଯୋଗ ନେଇ ନାବାଳିକାଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା।

ତେବେ ଅପହରଣ ପରେ ନାବାଳିକାଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା । ମା’ଙ୍କ ଦେହ ଖରାପ ଥିବା ମିଛ କହି ତାଙ୍କୁ ଘରୁ ଅପହରଣ କରିନେଇଥିବା ନାବାଳିକା ଜଣଙ୍କ ପ୍ରକାଶ କରିଥିଲେ। ଏହାପରେ ଅପହର୍ତ୍ତା ପାଣ୍ଡେ ତାଙ୍କୁ ନୂଆ ନୂଆ ଜାଗାକୁ ନେଇ ଦୁଷ୍କର୍ମ କରିଥିବା ପୀଡ଼ିତା ପ୍ରକାଶ କରଥିଲେ। ମଦ ପିଇ ଗୋଟିଏ ଘରେ ବନ୍ଦ କରି ତାଙ୍କ ସହିତ ଦୁଷ୍କର୍ମ ସହିତ ନାନା କଦର୍ଯ୍ୟ କାମ କରିଥିବା ପିଡ଼ୀତା ପ୍ରକାଶ କରିଥିଲେ। ଏହି ଘଟଣାରେ ଅପହର୍ତ୍ତାଙ୍କ ପରିବାରବର୍ଗ ମଧ୍ୟ ସାମିଲ ଥିବା ସେ କହିଥିଲେ।

ସେହିପରି ଏହି ଘଟଣାକୁ ରଫାଦଫା କରିବା ସହିତ ଥାନାରୁ ମାମଲା ପ୍ରତ୍ୟାହାର କରିବା ପାଇଁ ପୀଡ଼ିତାଙ୍କ ପରିବାରକୁ ଅଭିଯୁକ୍ତ ଏବଂ ତାଙ୍କର ସମ୍ପର୍କୀୟମାନେ ଧମକ ଦେଉଥିବା ପିଡ଼ୀତାଙ୍କ ମା’ କହିଥିଲେ। ତେବେ ଗତ ୧୯ ତାରିଖ ନାବାଳିକାଙ୍କୁ ଅପହର୍ତ୍ତାଜଣଙ୍କ ଏକ ଜଙ୍ଗଲ ନିକଟରେ ଛାଡ଼ିଦେଇ ଯାଇଥିବା ନାବାଳିକାଜଣଙ୍କ କହିଥିଲେ। ଏନେଇ ପୁଲିସ୍‌ରେ ଅଭିଯୋଗ କରାଯାଇଥିଲା। ମାତ୍ର ଏଯାବତ ଅପହର୍ତ୍ତା ଗିରଫ ହୋଇନଥିବାରୁ ନ୍ୟାୟ ପାଇଁ ଗତକାଲି ଏସ୍‌ପିିଙ୍କ ଦ୍ଵାରସ୍ଥ ହୋଇଥିଲେ ପିଡ଼ୀତାଙ୍କ ପରିବାରବର୍ଗ।

ସମ୍ବନ୍ଧିତ ଖବର