ଜଙ୍ଗଲ ହେଉଛି ପଦା, ଖାଦ୍ୟ ଅନ୍ୱେଷଣରେ ଗାଁରେ ପଶିଲେ ୨ ଭାଲୁ, ଲୋକେ ସୁରକ୍ଷିତ 

ତେନ୍ତୁଳିଖୁଣ୍ଟି: ଦିନକୁ ଦିନ ଜଙ୍ଗଲ ପଦା ହେବାରେ ଲାଗିଛି। ମକା ତଥା ଡ଼ଙ୍ଗର ଚାଷ ନିମନ୍ତେ ସହ ସହ ହେକ୍ଟର ଜଙ୍ଗଲ କାଟି ଲୋକେ ଚାଷ କରୁଛନ୍ତି। ଜଙ୍ଗଲ ପଦା ହେବା କାରଣରୁ ବନ୍ୟ ଜୀବଜନ୍ତୁଙ୍କ ଖାଦ୍ୟଭାବ ଦେଖାଦେଇଛି। ଏମିତି ସ୍ଥିତିରେ ମାଳ ମାଳ ଜଙ୍ଗଲୀ ଭାଲୁ ଗାଁ ମୁହାଁ ହେଉଛନ୍ତି। ସନ୍ଧ୍ୟା ହେବା ମାତ୍ରେ ତେନ୍ତୁଳିଖୁଣ୍ଟି ବ୍ଲକର ଅନେକ ଗ୍ରାମରେ ମାଳ ମାଳ ଭାଲୁ ଚଳ-ପ୍ରଚଳ କରୁଥୁବା ନଜରକୁ ଆସୁଛି। ଖାଦ୍ୟ ଅନ୍ୱେଷଣରେ ଭାଲୁ ଗାଁ ମୁହାଁ ହେଉଥୁବା କୁହାଯାଉଛି। ଭାଲୁମାନେ କାହାର କିଛି ଅନିଷ୍ଟ କରୁନଥିଲେ ହେଁ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଲାଗିରହିଛି।

ଆଜି ଅପରାହ୍ନରେ ତେନ୍ତୁଳିଖୁଣ୍ଟି ବ୍ଳକ ପୂଜାରୀଗୁଡା ପଂଚାୟତ ଅନ୍ତର୍ଗତ ଦାନୀଗୁଡା ଗ୍ରାମରେ ଦୁଇଟି ଭାଲୁ ଅନାୟାସରେ ବୁଲାବୁଲି କରୁଥୁବା ଗ୍ରାମବାସୀଙ୍କ ନଜରକୁ ଆସିଥିଲା। ଭାଲୁ ୨ଟି କାହାର କିଛି ଅନିଷ୍ଟ କରୁନଥିଲେ ହେଁ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଲାଗିରହିଥିଲା। ଦାନୀଗୁଡା ଗାଁକୁ ଲାଗି ବିସ୍ତିର୍ଣ୍ଣ କାଜୁ ବଗିଚା ଲାଗିରହିଛି। ହେଲେ ଏହି ଦୁଇଟି ଭାଲୁ ଦିନେ ଛାଡି ଦିନେ କାଜୁ ଫଳ ଖାଇବାକୁ ଗାଁ ରାସ୍ତା ଦେଇ କାଜୁ ବଗିଚା ଭିତରକୁ ପ୍ରବେଶ କରନ୍ତି। କାଜୁ ବଗିଚାରେ ବୁଲାବୁଲି କରି ଫଳ ଖାଇବା ପରେ ଫେରି ଯାଉଥୁବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ସେହିପରି ବର୍ତ୍ତମାନ ଖଜୁରୀ କୋଳି ପାଚିବା ସମୟ ହୋଇଥବାରୁ କୋଳି ଖାଇବା ପାଇଁ ମଧ୍ୟ ଭାଲୁ ପଲ ଆସୁଥୁବା ଜଣାପଡିଛି। ଭାଲୁ ପଲ ଖଜୁରୀ ଗଛ ତଳେ ବୁଲି ବୁଲି କୋଳି ଖାଉଥୁବା କିଛି ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି। ପ୍ରକାଶ ଥାଉକି ତେନ୍ତୁଳିଖୁଣ୍ଟି ବ୍ଲକର ଅନେକ ଗ୍ରାମରେ ସନ୍ଧ୍ୟା ହେବା ମାତ୍ରେ ମାଳ ମାଳ ଭାଲୁ ପ୍ରବେଶ କରିବା ଏକ ନୀତି ଦିନିଆ ଘଟଣା ରେ ପରିଣତ ହୋଇଛି। ବ୍ଲକର ଦିଗି, ସଲପା, ଉଦୟପୁର, ଗାଦ୍ୱାଗୁଡା, ଚରାମୂଳା, ପଣସ ପଦର, କେନ୍ଦୁଗୁଡା, ଖଣ୍ଡିଆଗୁଡା, ତେନ୍ତୁଳିଖୁଣ୍ଟି, କୁର୍ମାକୋଟ ଭଳି ଅନେକ ଗ୍ରାମରେ ଭାଲୁ ପ୍ରବେଶ ପଲ ପ୍ରବେଶ କରି ଖାଦ୍ୟ ଅନ୍ୱେଷଣ କରୁଥୁବା ନଜିର ରହିଛି।

ସମ୍ବନ୍ଧିତ ଖବର