ବାଲେଶ୍ୱର: ସାର୍ଥା ଫାଣ୍ଡି ଅନ୍ତର୍ଗତ ରାଜଧାନୀ ଛକ ନିକଟରେ ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ମଦ ଦୋକାନ ଉଚ୍ଛେଦ ଦାବି କରି ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ତେବେ ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ବସ୍ତା ଏସଡିପିଓ ଏବଂ ସିଂଲା ଥାନାଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି।

Advertisment

ସୂଚନା ଅନୁଯାୟୀ ବୁଧବାର ସଂଧ୍ୟା ସମୟରେ ସାର୍ଥା ଫାଣ୍ଡି ଅନ୍ତର୍ଗତ ରାଜଧାନୀ ଛକ ନିକଟରେ ଥିବା ଶ୍ରୀକାନ୍ତ ପାତ୍ରଙ୍କ ପାନ ଦୋକାନକୁ କିଛି ଲୋକ ଆସି ଶ୍ରୀକାନ୍ତଙ୍କୁ ସିଗାରେଟ ମାଗିଥିଲେ। ତେବେ ସିଗାରେଟର ମୂଲ୍ୟ ୬ ଟଙ୍କା ଥିବା ବେଳେ ସେମାନେ ୫ ଟଙ୍କାରେ ନେବାକୁ ଦୋକାନୀକୁ ବାଧ୍ୟ କରିଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ବଚାସା ଆରମ୍ଭ ହୋଇଥିଲା। ଏନେଇ ଶ୍ରୀକାନ୍ତ ତାଙ୍କ ବଡ ଭାଇ ସୁବାସଙ୍କୁ ଫୋନ କରି ଡାକିଥିଲେ। ସୁବାସ ଘଟଣାସ୍ଥଳରେ ପହଞ୍ଚିବା ପରେ ଦୁର୍ବୃତ୍ତମାନେ ସୁବାସ ଏବଂ ତାଙ୍କ ଭାଇ ଶ୍ରୀକାନ୍ତଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲା ବେଳେ ଗ୍ରାମବାସୀଙ୍କ ଦ୍ଵାରା ଦୁଇ ଜଣ ଦୁର୍ବୃତ୍ତ ଧରାପଡିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଗ୍ରାମବାସୀମାନେ ସୁବାସ ଏବଂ ଶ୍ରୀକାନ୍ତଙ୍କୁ ବାଲେଶ୍ୱର ହସପିଟାଲରେ ଭର୍ତ୍ତି କରିଥିଲେ।

ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସୁବାସଙ୍କୁ କଟକ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସୁବାସଙ୍କର କଟକରେ ମୃତ୍ୟୁ ହୋଇ ଯାଇଥିଲା। ତେବେ ସ୍ଥାନୀୟ ଅଂଚଳରେ ବିଭିନ୍ନ ଦେଶୀ ଏବଂ ବିଦେଶୀ ମଦ ଦୋକାନ ରହିଥିବାରୁ ଏଭଳି ଅଭାବନୀୟ ଘଟଣା ବାରମ୍ବାର ଘଟୁଛି ବୋଲି ଲୋକେ ଅଭିଯୋଗ କରିଛନ୍ତି।