ଦୁଇ ଭାଇଙ୍କ ବିରଳ ଆବିଷ୍କାର: ୭୦% ଅକ୍ସିଜେନ ଅପଚୟ ରୋକିବ ‘ଅକ୍ସିସର୍ଭ‌’

-ସରକାରୀ ମାନ୍ୟତା ମିଳିଲେ କରିବ ବଜାର ପ୍ରବେଶ

ରାଉରକେଲା: ପୂର୍ବରୁ ସଙ୍କଟାପନ୍ନ ରୋଗୀଙ୍କୁ ଲାଗୁଥିବା ଅକ୍ସିଜେନ ବହୁମାତ୍ରାରେ ଅପଚୟ ହେଉଥିଲା। ବିଜ୍ଞାନ କୁହେ, ନିଶ୍ବାସ ନେବାରେ କେବଳ ଅମ୍ଳଜାନ ଆବଶ୍ୟକତା ହେଉଥିବାବେଳେ ନିଶ୍ବାସ ଛାଡ଼ିବାରେ କିନ୍ତୁ ଦରକାର ହୋଇ ନଥାଏ। କିନ୍ତୁ ଜଣେ ରୋଗୀଙ୍କୁ ଅମ୍ଳଜାନ ଲଗାଯିବାମାତ୍ରେ ସେ ସଂପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ତାହା ଲାଗି ରହିଥାଏ। ଏହାଦ୍ବାରା ପର୍ଯ୍ୟାପ୍ତ ପରିମାଣର ଅମ୍ଲଜାନ ଅପଚୟ ହୋଇଥାଏ।

ତେବେ ଏଥର ଏହି ସମସ୍ୟା ଆଉ ଉପୁଜିବନି। ଏଥର କେବଳ ଆବଶ୍ୟକତା ଅନୁଯାୟୀ ରୋଗୀ ଅମ୍ଳଜାନ ପାଇବେ। ଏହି ସମସ୍ୟାର ସମାଧାନ କରିବାରେ ସକ୍ଷମ ହୋଇଛନ୍ତି ଦୁଇ ଭାଇ। ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ର ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସି(ପଦାର୍ଥ ବିଜ୍ଞାନ) ଚତୁର୍ଥ ବର୍ଷ ଛାତ୍ର ରୂପେଶ ମାହୋରେ ଓ ତାଙ୍କ ଭାଇ ତଥା ମଧ୍ୟପ୍ରଦେଶ ଗ୍ବାଲିୟରର ମାଧବ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଆଣ୍ଡ୍‌ ସାଇନ୍‌ସ(ଏମ୍‌ଆଇଟି) ଛାତ୍ର ଗୁଣେନ୍ଦ୍ର ମାହୋରେ। ଏକ ଅମ୍ଳଜାନ ସଂରକ୍ଷଣ ଓ ସଠିକ୍‌ ଉପଯୋଗ ପାଇଁ ଏକ ମେସିନ୍‌ ‘ଅକ୍ସିସର୍ଭ୍‌’ ଆବିଷ୍କାର କରିଛନ୍ତି। ଏହି ମେସିନ ଗୋଟିଏ ସିଲିଣ୍ଡର୍‌ର ପ୍ରାୟ ୬୦/୭୦ ପ୍ରତିଶତ ଅମ୍ଲଜାନ ସଞ୍ଚୟ କରିବ। ଏ କ୍ଷେତ୍ରରେ ଏହା ଦେଶରେ ପ୍ରଥମ ତଥା ଏକମାତ୍ର ମେସିନ ବୋଲି କୁହାଯାଉଛି। ଏହି ମେସିନ ସଂପୂର୍ଣ୍ଣଭାବେ ବିକଶିତ ହେବା ସହ ବେସରକାରୀଭାବେ ଏହାର ସଫଳ ପରୀକ୍ଷଣ ବି କରାଯାଇ ସାରିଲାଣି, କେବଳ ସରକାରଙ୍କ ଅନୁମୋଦନ ପାଇଁ ଅପେକ୍ଷାରତ।

ଏହି ମେସିନ୍‌ ମୁଖ୍ୟତଃ ତିନୋଟି ପ୍ରମୁଖ ଦିଗ, ଯଥା- ରେସ୍‌ପିରେସନ, ‌ହାର୍ଟ ରେଟ୍‌ ଓ ଅକ୍ସିଜେନ ମାତ୍ରା ବିଷୟରେ ଅଧିକ ତଥା ଉପାଦେୟ ସୁବିଧା ଯୋଗାଇବ। ଏ କ୍ଷେତ୍ରରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ କରିବ। ସାଧାରଣତଃ ମଣିଷକୁ କେବଳ ନିଶ୍ବାସ ନେବାବେଳେ ଅମ୍ଲଜାନ ଦରକାର ହେଉଥିବାବେଳେ ନିଶ୍ବାସ ଛାଡ଼ିବାରେ ଏହା ଦରକାର ହୋଇ ନଥାଏ। କିନ୍ତୁ ପୂର୍ବର ଚିରାଚରିତ ପ୍ରଣାଳୀ(ସିଲିଣ୍ଡର୍‌ ମାଧ୍ୟମରେ ଅକ୍ସିଜେନ ଦିଆଯିବା)ରେ ନିଶ୍ବାସ ଛାଡ଼ିବା ସମୟରେ ମଧ୍ୟ ସିଲିଣ୍ଡର୍‌ରୁ ଅମ୍ଲଜାନ ପ୍ରବାହ ପୂର୍ବବତ ଲାଗି ରହୁଥିଲା। ଏହାଦ୍ବାରା ବହୁମାତ୍ରାରେ ଅମ୍ଳଜାନ ନଷ୍ଟ ହୋଇଥାଏ। ଏବେ କିନ୍ତୁ ଏହି ମେସିନ ଏହାକୁ ରୋକିବାରେ ସକ୍ଷମ ହେବ। ମେସିନ୍‌ରେ ପିଡବ୍ଲୁଏମ୍‌(ପଲ୍‌ସ ୱିଥ୍‌ ମଡ୍ୟୁଲେସନ୍‌) ଓ ଭଲ୍ୟୁମ୍‌ ଫ୍ଳକ୍ସ କଣ୍ଟ୍ରୋଲ ବ୍ୟବସ୍ଥା ବ୍ୟବହୃତ ହୋଇଛି।

ଏହାମାଧ୍ୟମରେ କେବଳ ନିଶ୍ବାସ ଛାଡ଼ିବା ସମୟରେ ଅ ଯୋଗାଣକୁ ବନ୍ଦ କରିଦେବ। ଯଦ୍ବାରା ଅମ୍ଲଜାନ ଅପଚୟକୁ ସହଜରେ ରୋକାଯାଇପାରିବ। ଜଣେ ଚିକିତ୍ସାଧୀନ ରୋଗୀର ଅମ୍ଳଜାନ ମାତ୍ରା ତଦାରଖ କରିବାକୁ ହେଲେ ଡାକ୍ତରଙ୍କୁ ତାଙ୍କ ପାଖକୁ ଯାଇ ଯାଞ୍ଚ କରିବାକୁ ପଡ଼ୁଥିଲା। ତେବେ ପ୍ରାୟତଃ ଡାକ୍ତର ୨/୩ ଘଣ୍ଟା ବ୍ୟବଧାନରେ ଯାଞ୍ଚ ପାଇଁ ଯାଉଥିବାରୁ ଏହି ସମୟ ଭିତରେ ଯେ କୌଣସି ଅଘଟଣ ଘଟୁଥିଲେ ମଧ୍ୟ ତାହା ଜଣାପଡ଼ୁ ନଥିଲା। ଅକ୍ସିଜେନ ମାତ୍ରା ବଢ଼ିବା ଓ କମିବା ବିଷୟରେ ମଧ୍ୟ ଜାଣିପାରୁ ନଥିଲେ। ତେବେ ‘ଅକ୍ସିସର୍ଭ‌୍’ ଏହି ସମସ୍ୟାକୁ ଦୂର କରିବ।

ଏଥିରେ ଖଞ୍ଜାଯାଇଥିବା ସେନସର୍‌ ମାଧ୍ୟମରେ ରୋଗୀର ପ୍ରତ୍ୟେକ ସେକେଣ୍ଡ୍‌ର ଅମ୍ଳଜାନ ମାତ୍ରା ଓ ଆନୁସଙ୍ଗିକ ସ୍ବାସ୍ଥ୍ୟାବସ୍ଥା ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିବ। ଡାକ୍ତରଙ୍କ ଚ୍ୟାମ୍ବର୍‌ରେ ଥିବା ମନିଟର୍‌ରେ ସଂଯୋଗ କରି ଏହାକୁ ଟ୍ରାକ୍‌ କରାଯାଇପାରିବ। ଡାକ୍ତର ରୋଗୀ ପାଖକୁ ନ ଆସି ସବୁବେଳେ ଏହା ଉପରେ ତୀକ୍ଷ୍‌ଣ ନଜର ରଖିପାରିବେ। ସେହିଭଳି ଏହି ମେସିନ ରୋଗୀକୁ କେତେ ପରିମାଣର ଅମ୍ଳଜାନ ଆବଶ୍ୟକତା ରହିଛି, ସେ ବିଷୟରେ ମଧ୍ୟ ଅବଗତ କରିବ। ପୂର୍ବରୁ ଚିରାଚରିତ ଢ଼ଙ୍ଗରେ ଅମ୍ଳଜାନ ସିଲିଣ୍ଡର ଲଗାଇ ବ୍ୟବଧାନରେ ରୋଗୀକୁ ମନିଟର୍‌ କରାଯାଉଥିଲା। ପ୍ରଥମେ ରୋଗୀର ସ୍ବାସ୍ଥ୍ୟ ପରୀକ୍ଷା ପରେ ଅମ୍ଳଜାନ ସ୍ତରକୁ ନିରୀକ୍ଷଣ କରି ଅମ୍ଳଜାନ ଦିଆଯାଉଥିଲା।

ତେବେ ଜଣେ ରୋଗୀକୁ ସବୁବେବେଳ ସମାନ ପରିମାଣର ଅମ୍ଳଜାନ ଦରକାର ହୋଇ ନଥାଏ। କେତେବେଳେ ଅଧିକ ପରିମାଣ ଦରକାର ହେଉଥିବାବେଳେ କେତେବେଳେ କମ୍‌ ପରିମାଣରେ ଦରକାର ହୋଇଥାଏ। କିନ୍ତୁ ଚିରାଚରିତ ପଦ୍ଧତିରେ ଏହାକୁ ନିୟନ୍ତ୍ରଣ କରାଯାଇପାରୁ ନଥିଲା। ଯଦ୍ବାରା ଅଧିକ ତଥା କମ୍‌ ଅମ୍ଲଜାନ ଯୋଗୁଁ ରୋଗୀ ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏହି ମେସିନ କିନ୍ତୁ ଏହି ସମସ୍ୟାକୁ ସଂପୂର୍ଣ୍ଣଭାବେ ଦୂର କରଦେଇଛି। ଯଦି ନିର୍ଦ୍ଦିଷ୍ଟ ଜଣେ ରୋଗୀକୁ କମ୍‌ ଅକ୍ସିଜେନ ଦରକାର ହେଉଛି, ମେସିନ୍‌ ସେହି ଅନୁସାରେ ଅମ୍ଳଜାନ ଯୋଗାଇବ। ଯଦି ଅଧିକ ଦରକାର ହୁଏ, ତା’ହେଲେ ଅଧିକ ଯୋଗାଇବ। ମେସିନ୍‌ରେ ଖଞ୍ଜାଯାଇଥିବା ସେନସର୍‌ ମାଧ୍ୟମରେ ଅମ୍ଳଜାନର ଆବଶ୍ୟକତା ବିଷୟରେ ଜଣାପଡ଼ିବ, ସେ କ୍ରମରେ ମେସିନ କାର୍ଯ୍ୟ କରିବ।

ରୂପେଶ ଓ ଗୁଣେନ୍ଦ୍ର ମହାକାଶ ବିଜ୍ଞାନ ସନ୍ଦର୍ଭରେ ଗବେଷଣା ଜାରି ରଖିଛନ୍ତି। ମହାକାଶଚାରୀଙ୍କ ପାଇଁ କରାଯାଉଥିବା ଅକ୍ସିଜେନ ଉପଲବ୍ଧତା ଓ ଏହାର ଠିକ୍‌ ବ୍ୟବହାର ଉପରେ ଗବେଷଣାରତ ଦୁଇ ଛାତ୍ର ସଂପ୍ରତି କୋଭିଡ୍‌ ଚିକିତ୍ସାରେ ଦେଖାଦେଇଥିବା ଅମ୍ଳଜାନ ସଙ୍କଟ ଦୂର କରିବାକୁ ଗତ ଫେବ୍ରୁଆରି ମାସରୁ ପ୍ରୟାସ ଆରମ୍ଭ କରିଥିଲେ। ଏହି ପ୍ରକଳ୍ପ ନେଇ ସେମାନଙ୍କ ଦ୍ବାରା ଲିଖିତ ସନ୍ଦର୍ଭ ପ୍ରକାଶିତ ହୋଇସାରିଛି। ଏନେ ଏହି ମେସିନ୍‌କୁ ସରକାରୀ ମାନ୍ୟତା ମିଳିବା ନେଇ ଉଭୟେ ପ୍ରୟାସରତ। ମାନ୍ୟତା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗକୁ ଆବେଦନ କରାଯାଇଛି। ସରକାରୀସ୍ତରରେ ପରୀକ୍ଷାନିରୀକ୍ଷା ଓ ସ୍ବୀକୃତିପରେ ଆଗାମୀ ଦୁଇ ମାସ ଭିତରେ ଏହି ମେସିନ୍‌ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ହେବବୋଲି ରୂପେଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର