ହତ୍ୟା ଉଦ୍ୟମ ମାମଲାରେ ୨ ଅଭିଯୁକ୍ତ ଭାଇଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୨ ହଜାର ଟଙ୍କା ଜରିମାନା

ଭଦ୍ରକ: ଭଦ୍ରକ ମୁଖ୍ୟ ବିଚାର ବିଭାଗିୟ ମାଜିଷ୍ଟ୍ରେଟ ଦେବଦତ୍ତ ପଟ୍ଟନାୟକ ଏକ ମରଣାନ୍ତକ ଆକ୍ରମଣ ଓ ହତ୍ୟା ଉଦ୍ୟମ ମାମଲାର ବିଚାର କରି ଅଭିଯୁକ୍ତ ତିହିଡି ଥାନା ଅନ୍ତର୍ଗତ ଛତ୍ରପଦା ଗ୍ରାମର ବୈଷ୍ଣବ ମହାନ୍ତିଙ୍କ ୨ ପୁତ୍ର ଉମେଶ ମହାଳିକ ଓ ରମେଶ ମହାଳିକଙ୍କୁ ୩୨୫ ଦଫାରେ ଦୋଷି ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୨ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ପୁଣି ୨ ମାସ ସଶ୍ରମ ଜେଲ ଦଣ୍ଡ ଭୋଗିବା ପାଇଁ ମାନ୍ୟବର କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଘଟଣାରୁ ପ୍ରକାଶ ଏକ ପାରିବାରିକ ଜମିଜମା ମାମଲାକୁ ନେଇ ସେହି ଗ୍ରାମର ପ୍ରଶାନ୍ତ ମହାଳିକଙ୍କୁ ରମେଶ, ଉମେଶ ଓ ସେମାନଙ୍କ ପତ୍ନୀ ଯଥାକ୍ରମେ ମେନକା, ସୁଲୋଚନା ମାନେ ମିଶି ଗତ ୨୦୧୭ ମସିହା ମାର୍ଚ୍ଚ ୪ ତାରିଖ ମାରଣାସ୍ତ୍ର ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ।

ଏହି ଘଟଣାକୁ ନେଇ ପ୍ରଶାନ୍ତ ମହାଳିକଙ୍କ ଅଭିଯୋଗ କ୍ରମେ ତିହିଡି ଥାନାରେ ସେମାନଙ୍କ ବିରୁଦ୍ଧରେ ଥାନା କେସ ନଂ- ୬୯/୨୦୧୭ ଦଫା- ୩୦୭, ୩୨୩, ୩୨୫, ୫୦୬, ୩୪ ରେ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତ ମାନେ ଗିରଫ ହୋଇଥିଲେ ଓ ପରେ ମାନ୍ୟବର କୋର୍ଟ ସେମାନଙ୍କୁ ଜାମିନ ପ୍ରଦାନ କରିଥିଲେ। ମାମଲାଟି ତଦନ୍ତ ପରେ ଚାର୍ଜସିଟ ହୋଇଥିଲା। ଏହି ମାମଲାଟି ଭଦ୍ରକ ମୁଖ୍ୟ ବିଚାର ବିଭାଗିୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ୨୧/୨୦୧୮ରେ ବିଚାର ହୋଇ ଆଜି ଏହି ରାୟ ପ୍ରକାଶ ପାଇଛି। ମାନ୍ୟବର କୋର୍ଟ ୨ ମହିଳା ଅଭିଯୁକ୍ତଙ୍କୁ ନିର୍ଦୋଶରେ ଖଲାସ କରିଥିବା ବେଳେ ୨ ଭାଇ ରମେଶ ଓ ଉମେଶକୁ ୩୨୫ ଦଫାରେ ଦୋଷି ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡ ବିଧାନ କରିଛନ୍ତି। ସରକାରଙ୍କ ତରଫରୁ ଭଦ୍ରକର ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଜତିକାନ୍ତ ନାୟକ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର