ଝୁମ୍ପୁରା: କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ ଅର୍ଶଳା ମୁସଲିମ ବସ୍ତିରେ ପୋଖରୀରେ ବୁଡ଼ି ଦୁଇଭାଇଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ମହମ୍ମଦ ଅନସାରୀଙ୍କ ପୁଅ ମହମ୍ମଦ ଆକ୍ରମ ଅନସାରୀ (୧୩) ଓ ମହମ୍ମଦ ଅର୍ହାନ ଅନସାରୀ (୧୧)। ଉଭୟ ଆଜି ଅପରାହ୍ଣ ୨ଟା ବେଳେ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପୋଖରୀ ହୁଡ଼ାରେ ସେମାନଙ୍କ ପ୍ୟାଣ୍ଟସାର୍ଟ ପଡ଼ିଥିବା ଦେଖି ଉଭୟ ପୋଖରୀରେ ବୁଡ଼ି ଯାଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଥିଲେ।
ଖବରପାଇ ଝୁମ୍ପୁରା ଅଗ୍ନିଶମ କର୍ମଚାରୀ ପହଞ୍ଚି ପୋଖରୀରୁ ଉଭୟଙ୍କ ମୃତଦେହ ଉଦ୍ଧାର କରିଥିଲେ। ଝୁମ୍ପୁରା ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନା ପଠାଇଛି। ଏନେଇ କେସ୍ ନମ୍ବର ୪/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଆକ୍ରମ ଓ ଅର୍ହାନଙ୍କ ବାପା ହାଇଦ୍ରାବାଦ୍ରେ ଚାକିରି କରୁଛନ୍ତି। ଦୁଇଭାଇଙ୍କ ମୃତ୍ୟୁରେ ବସ୍ତିରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/SINK-WATER-TWO-BROTHER-05_tHUMB.jpg)