ଲାଞ୍ଚ କାରବାର: ବିବାଦରେ ରାୟଗଡ଼ା ଜିଲ୍ଲା ଅବକାରୀ କାର୍ଯ୍ୟାଳୟ, ୭ ମାସରେ ଧରା ପଡ଼ିଲେଣି ୨ ଅଧୀକ୍ଷକ

ମଦ ଦୋକାନୀ, ବାର୍ ଓ ଭାଟି ମାଲିକ ଦେଉଛନ୍ତି ମାସିକିଆ

ରାୟଗଡ଼ା: ମଦ ଦୋକାନ, ବାର୍, ଦେଶୀ ଭାଟିରୁ ଆଦାୟ ହେଉଛି ମାସିକିଆ ଚାନ୍ଦା। ଆଦାୟ ଲକ୍ଷାଧିକ ଟଙ୍କାକୁ ପର୍ଯ୍ୟାୟକ୍ରମେ ବାଣ୍ଟି ନେଉଛନ୍ତି ବିଭାଗୀୟ ଅଧିକାରୀ। ଭେଣ୍ଡରଙ୍କ ନିକଟରୁ ମଦ ଉଠାଇ ଗାଁରେ ବିକ୍ରି କରୁଥିବା ଦୋକାନୀ ବି ଦେଉଛନ୍ତି ମାସିକିଆ ହାତଗୁଞ୍ଜା। ଏଥିସହ ମଦ ‌ଚୋରା ଚାଲାଣ, ନକଲି ମଦ ପ୍ରସ୍ତୁତି ବାବଦରୁ ମଧ୍ୟ ବିଭାଗକୁ ଆସୁଛି ମୋଟା ଅଙ୍କର ଚାନ୍ଦା। ରାୟଗଡ଼ା ଅବକାରୀ କାର୍ଯ୍ୟାଳୟରେ ଲାଞ୍ଚ କାରବାର ସୀମା ଟପିବା ପରେ ବିବାଦ ଭିତରକୁ ଟାଣି ହୋଇଛନ୍ତି ଅଧିକାରୀ। ଗତ ୭ ମାସ ମଧ୍ୟରେ ୨ ଅବକାରୀ ଅଧୀକ୍ଷକ ଲାଞ୍ଚ କାରବାରକୁ ନେଇ ଧରା ପଡ଼ିବା ବିଭାଗୀୟ ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ୨୦୨୧ ଅଗଷ୍ଟ ମାସରେ ଗୁଣପୁରର ଏକ ମଦ ଦୋକାନ ମ୍ୟାନେଜରଙ୍କ ନିକଟରୁ ଲାଞ୍ଚ ଟଙ୍କା ସଂଗ୍ରହ କରି ବିବାଦ ଭିତରକୁ ଟାଣି ହୋଇଥିଲେ ପୂର୍ବତନ ଅଧୀକ୍ଷକ ପ୍ରସନ୍ନ ନାୟକ। ଭିଡ଼ିଓ ଭାଇରାଲ୍ ପରେ ଅବକାରୀ କମିଶନର ଆଶିଷ ସିଂହ ଘଟଣାର ତଦନ୍ତ ନିର୍ଦେଶ ଦେବା ସହ ଅଧୀକ୍ଷକ ନାୟକଙ୍କ ସମେତ ୨ କନେଷ୍ଟବଳଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ। ତଦନ୍ତ ସମ୍ପୂର୍ଣ୍ଣ ହୋଇନଥିବାରୁ ଅଧୀକ୍ଷକ ଶ୍ରୀ ନାୟକ ଅବକାରୀ ମୁଖ୍ୟାଳୟରେ କାର୍ଯ୍ୟରତ ଅଛନ୍ତି। ବିଭାଗ ତାଙ୍କ ଉପରୁ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିନି। ଏହି ଘଟଣା ପରେ ରାୟଗଡ଼ାର ନୂତନ ଅବକାରୀ ଅଧୀକ୍ଷକ ଭାବେ ୨୦୨୧ ସେପ୍ଟେମ୍ବରରେ କାର୍ଯ୍ୟରେ ଯୋଗ ଦେଇଥିଲେ ନିନା ବେଉରା। ନିନାଙ୍କ କାର୍ଯ୍ୟକାଳ ୭ ମାସ ନ ପୁରୁଣୁ ନଗଦ ୬ ଲକ୍ଷ ଟଙ୍କା ସହ ଭିଜିଲାନସ୍ ହାତରେ ଧରା ପଡ଼ିବା ରାୟଗଡ଼ା ଅବକାରୀ କାର୍ୟ୍ୟାଳୟର ଲାଞ୍ଚ କାରବାରକୁ ପଦାରେ ପକାଇଛି।

ନିନା ବେଉରା ରାୟଗଡ଼ାରୁ ଭୁବନେଶ୍ବର ନେଇ ଯାଉଥିବା ଏତେ  ଟଙ୍କା ମାସିକିଆ ଚାନ୍ଦା ଅର୍ଥ ନା କୌଣସି ଏକ ନିର୍ଦ୍ଧିଷ୍ଟ  ଭେଣ୍ଡର ନୂଆ ଦୋକାନ, ବାର୍ ଖୋଲିବା ପାଇଁ ଦେଇଥିଲା ତାକୁ ନେଇ ‌ଖୋଳତାଡ଼ କରୁଛି ଭିଜିଲାନସ୍। ନିକଟରେ ରାୟଗଡ଼ା ଜିଲ୍ଲାରେ ୩ଟି ନୂତନ ବାର୍ ଖୋଲିବା ପାଇଁ ଆବେଦନ ହୋଇଥିବା ବେଳେ ୨ଟି ବାର ଖୋଲିବା ନେଇ ବିଭାଗୀୟ ଅନୁମୋଦନ ମିଳି ସାରିଛି। ଅନ୍ୟ ଗୋଟିଏ ବାର୍ ପାଇଁ ମଧ୍ୟ ବିଭାଗୀୟ ଅଧିକାରୀ ମୋଟା ଅଙ୍କର ଲାଞ୍ଚ ନେଇ ସରକାରୀ ନୀତି ନିୟମକୁ ଜଳାଞ୍ଜଳୀ ଦେଇ ମିଥ୍ୟା ତଥ୍ୟ ମାଧ୍ୟମରେ ଭେଣ୍ଡର ଓ ମଦ ଦୋକାନୀ ମାଲିକଙ୍କୁ ସୁହାଇବା ଭଳି ସରକାରଙ୍କୁ ରିପୋର୍ଟ ଦେଇଛନ୍ତି। ଯାହା ବାବଦକୁ ଲକ୍ଷାଧିକ ଟଙ୍କାର ଡିଲ୍ ହୋଇଛି। ଅନ୍ୟପକ୍ଷରେ ମାର୍ଚ୍ଚ ମାସରେ ଭେଣ୍ଡରଙ୍କ ଲାଇସେନସ୍ ନବୀକରଣ ହୋଇଥିବା ବେଳେ ଏହା ବାବଦକୁ ବିଭାଗୀୟ ଉଚ୍ଚ ପଦସ୍ତ ଅଧିକାରୀଙ୍କ ନାଁରେ ଗୋଟିଏ ଗୋଟିଏ ଦୋକାନରୁ ୧୦ ହଜାର ଟଙ୍କା ଲେଖାଁଏ ଆଦାୟ ହୋଇଥିବା ଚର୍ଚ୍ଚା ହୋଇଛି। ସୂଚନାଯୋଗ୍ୟ, ରାୟଗଡ଼ା ଜିଲ୍ଲାରେ ୩୧ଟି ଠିପି ବନ୍ଦ, ୧୯ଟି ଠିପି ଖୋଲା ମଦ ଦୋକାନ ରହିଛି। ସେହିପରି ୧୫ଟି ଦେଶୀ ମଦ ଭାଟି ରହିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ପ୍ରତ୍ୟେକ ମଦ ଦୋକାନରୁ ମାସିକିଆ ବାବଦକୁ ୭ରୁ ୧୦ ହଜାର ଟଙ୍କା ଆଦାୟ ହେଉଛି। କାର୍ଯ୍ୟାନୁଷ୍ଠାନ ଓ ବିଭାଗୀୟ ଅଧିକାରୀଙ୍କ ଆକ୍ରୋଶର ଶିକାର ହେବା ଭୟରେ କୌଣସି ଭେଣ୍ଡର ଏ ନେଇ ମୁହଁ ଖୋଲୁନାହାନ୍ତି। ୨୦୨୧ ପୂର୍ବରୁ ଜଣେ ଜଣେ ମଦ ଦୋକାନ ମାଲିକଙ୍କର ୪/୫ଟି ଲେଖାଁଏ ଦୋକାନ ରାୟଗଡ଼ା ଜିଲ୍ଲାରେ ଥିଲା। ନୂତନ ଅବକାରୀ ନୀତି ପରେ ଅଧିକାଂଶ ‌ନୂଆ ଭେଣ୍ଡରକୁ ଦୋକାନ ମିଳିଛି। ପୂର୍ବରୁ ଦୋକାନ ପିଛା ମାସିକିଆ ଚାନ୍ଦା ୩ରୁ ୫ ହଜାର ମଧ୍ୟରେ ଆଦାୟ ହେଉଥିଲା। ଗତ କିଛି ମାସ ହେଲା ତାହା ୭ରୁ ୧୦ ହଜାରକୁ ବୃଦ୍ଧି ପାଇବା ପରେ ବିଭାଗର ମାସିକିଆ ଚାନ୍ଦାକୁ ନେଇ ଅତିଷ୍ଠ ହୋଇ ପଡିଲେଣି ଭେଣ୍ଡର।

ସମ୍ବନ୍ଧିତ ଖବର