କେନାଲରେ ବୁଡି ଦୁଇ ଶିଶୁଙ୍କ ମୃତ୍ୟୁ

ରାଉରକେଲା: ଖେଳୁଥିବାବେଳେ କେନାଲରେ ବୁଡି ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି। ମୃତ ଶିଶୁ ଦୁହେଁ ହେଲେ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଲୁଙ୍ଗେଇବସ୍ତି କେନାଲପଡାର ଅନିସ ଟପ୍ପୋ (୪) ଓ ତ୍ରିଦେବ ମହାନନ୍ଦିଆ (୨)। ବ୍ରାହ୍ମଣୀ ତରଙ୍ଗ ପୁଲିସ ଦୁଇ ଶିଶୁଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)କୁ ପଠାଇଛି। ଶିଶୁ ଦୁଇଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଯୁବନେତା ପ୍ରକାଶ ପାଶ୍ବାନ ଓ ଅନ୍ୟମାନେ ଦୁଇ ଶିଶୁଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି।

ବେଦବ୍ୟାସ ଲୁଙ୍ଗେଇବସ୍ତି କେନାଲ ପଡାରେ ପ୍ରଦୀପ ମହାନନ୍ଦିଆ ଓ ବିକ୍ରମ ଟପ୍ପୋ ପରିବାର ସହ ରହନ୍ତି। ଆଜି ସଂଧ୍ୟା ପ୍ରାୟ ୫ଟାରେ ପ୍ରଦୀପଙ୍କ ପୁଅ ତ୍ରିଦେବ, ବିକ୍ରମଙ୍କ ପୁଅ ଅନିସ୍‌ ଦୁହେଁ କେନାଲ ପାର୍ଶ୍ବରେ ଖେଳୁଥିଲେ। ଗୋଡ ଖସିଯିବାରୁ ଦୁହେଁ କେନାଲରେ ବୁଡି ଯାଇଥିଲେ। ସଂଧ୍ୟାରେ ଦୁହେଁ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ହେଁ ପାଇନଥିଲେ। ଶୌଚ କରିବାକୁ ଯାଇଥିବା କିଛି ଲୋକ ଦୁଇ ଶିଶୁଙ୍କ ଶବ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକ ପହଞ୍ଚି ଶବ ଚିହ୍ନଟ କରିଥିଲେ। ପରେ ବ୍ରାହ୍ମଣୀତରଙ୍ଗ ପୁଲିସ ପହଞ୍ଚି ଦୁଇ ଶିଶୁଙ୍କ ଶବ ଜବତ କରିଥିଲେ।

ସମ୍ବନ୍ଧିତ ଖବର