କର୍ତ୍ତବ୍ୟ ଆଗରେ ହାର ମାନିଲା ଭୟ: ମାନବିକତା ଦେଖାଇ ଶବ ଉଠାଇଲେ ଦୁଇ ପୁଲିସ କନଷ୍ଟ‌େବଳ

ଜୟପୁର: କର୍ତ୍ତବ୍ୟ ଆଗରେ ହାର ମାନିଛି ମହାମାରୀ କରୋନାର ଭୟ। କରୋନାର କରାଳ ରୂପ ଏମାନଙ୍କୁ ଡରାଇ ପାରିନି। ଆଉ କର୍ତ୍ତବ୍ୟକୁ ଆଗ ମଣି କାର୍ଯ୍ୟ କରିଛନ୍ତି କୋରାପୁଟ ଜିଲ୍ଲା ଜୟପୁର ଟାଉନ ପୁଲିସ ଅଧୀନରେ କାର୍ଯ୍ୟ କରୁଥିବା ଦୁଇ କନଷ୍ଟେବଳ। ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଜଣେ ଡ୍ରାଇଭରଙ୍କ ଶବକୁ ଉଠାଇ ପ୍ରସଂଶାର ପାତ୍ର ହୋଇଛନ୍ତି। ଗଞ୍ଜାମ ଜିଲ୍ଳାରେ କରୋନାରେ ମୃତ୍ୟୁ ହୋଇଥିବା ଜଣେ ପୁଲିସ କର୍ମଚାରୀଙ୍କୁ କେହିଁ ହାତ ନ ଲଗାଇବାରୁ ଦୀର୍ଘ ସମୟ ପଡି ରହିଥିବା ଦୃଶ୍ୟ ମନବତାକୁ ଥରାଇ ଦେଇଥିବାବେଳେ ତାହା ଆଜି ମଧ୍ୟ କୋରାପୁଟ ଜିଲ୍ଲା ଜୟପୁର ଘାଟିରେ ଦେଖିବାକୁ ମିଳିଥିଲା। ଟାଉନ ପୁଲିସର କନଷ୍ଟ‌େବଳ ଅକ୍ଷୟ ଗୌଡ ଓ ଜୟରାମ ରୁହା ଶବକୁ ଉଦ୍ଧାର କରି ଶବ ବାହାକ ଗାଡିରେ ଛାଡିବା ପ୍ରସଂଶାର ପାତ୍ର ପାଲଟିଛନ୍ତି।

ମିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ୨୫ ଫୁଟ ଗଭୀର ଘାଟିକୁ ତଳକୁ ଖସି ପଡିଥିଲା ରାୟପୁର ଯାଉଥିବା ପାଇପ ବୋଝେଇ ଟ୍ରଲର(ଏନଏଲ ୦୧ କେ ୭୮୩୬)। ଏଥିରେ ଥିବା ଜଣେ କର୍ମଚାରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲାବେଳେ ଜୟପୁର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ। ଏହାପରେ ଟାଉନ ପୁଲିସ ସେଠାରେ ପହଞ୍ଚି ୧୦୮କୁ ଡକାଇଥିଲା। ୧୦୮ ଆସି ପହଞ୍ଚିଥିବାବେଳେ ଶବକୁ ନେବ ନାହିଁ ବୋଲି ରୋକଠୋକ ଶୁଣାଇଥିଲା। ପରେ ଜୟପୁର ଜିଲ୍ଲା ମେଡିକାଲରେ ଥିବା ଶବ ବାହାକ ଗାଡି ଚାଳକଙ୍କୁ ଯୋଗାଯୋଗ କରାଯାଇଥିବାବେଳେ ସେ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ସେ କୌଣସି ସହାୟକ ନେଇ ନ ଥିଲେ। ଏହି ସମୟରେ ଉପସ୍ଥିତ ଥିବା ବରିଷ୍ଠ କର୍ମଚାରୀମାନେ ପିପିଇକିଟ କିମ୍ବା ହାଣ୍ଡ ଗ୍ଲୋବ୍ସ ନ ଥିବାରୁ ପଛଘୁଞ୍ଚା ଦେଇଥିବାବେଳେ ବିନା ସୁରକ୍ଷାରେ ମାଡିଯାଇଥିଲେ ଏହି ଦୁଇ କନଷ୍ଟ‌େବଳ। ପୁଲିସ ବର୍ଦ୍ଦିକୁ ପିନ୍ଧି ସେ ପଛଘୁଞ୍ଚା ନ ଦେଇ ଆଗକୁ ବଢିଥିଲେ। ଶବକୁ ଉଠାଇ ଶବ ବାହାକ ଗାଡିରେ ମେଡିକାଲକୁ ନେଇଥିଲେ।

ଏହି କର୍ମଚାରୀଙ୍କ ନିକଟରେ ନା ଥିଲା କୌଣସି ସୁରକ୍ଷା ସମାଗ୍ରୀ ନ ଥିଲା ପିପିଇ କିଟ୍। ବିନା ସୁରକ୍ଷାରେ ନିଜେ ରଖିଥିବା କପଡା ଗ୍ଲୋବ୍ସ ପିନ୍ଧି ସେମାନେ ଆଗକୁ ବଢିଥିଲେ। ଯେହେତୁ ଏହି ଟ୍ରଲରଟି କୋଲକାତାରୁ ରାୟପୁରକୁ ଯାଉଥିଲା। ଏହି ଗାଡିରେ ଥିବା କର୍ମଚାରୀମାନେ ମଧ୍ୟ କରୋନାରେ ଶିକାର ହୋଇଥିବା ଆଶଙ୍କା ରହିଥିଲା। ଏହାକୁ ଭ୍ରୁକ୍ଷେପ ନ କରି ଅକ୍ଷୟ ଓ ଜୟରାମ ଆଗକୁ ବଢିଥିଲେ। ଯଦିଓ ଜିଲ୍ଲାରେ ବହୁ ପୁଲିସ କର୍ମଚାରୀ ଏବେ ନିରବଛିନ୍ନ କାର୍ଯ୍ୟ କରି କରୋନା ରୋଗର ଆଁରେ ଶିକାର ହେଉଛନ୍ତି ସେମାନଙ୍କ କାର୍ଯ୍ୟ ତାଙ୍କୁ ସାଧାରଣରେ ଉତ୍ସାହ ପ୍ରଦାନ କରିଛି।

ଏନ‌େଇ ଜୟରାମ ଓ ଅକ୍ଷୟ କହିଛନ୍ତି ଯେ ପୁଲିସ ଚାକିରିରେ ଯୋଗଦେବା ଦିନରୁ କର୍ତ୍ତବ୍ୟକୁ ଆଗ କରିଛୁ। କର୍ତ୍ତବ୍ୟ ହିଁ ଭଗବାନ ଭାବି କାର୍ଯ୍ୟ କରିଛୁ। ପୁଲିସ ହୋଇଥିବା ହେତୁ ବହୁ ବାଧା ବିଗ୍ନ ଆସିବ ତେଣୁ ଏଥିପାଇଁ ପଛଘୁଞ୍ଚା ନ ଦେଇ ଆଗକୁ ବଢି କାମ କରିଛୁ। ଆଗକୁ ମଧ୍ୟ ଏହି କାର୍ଯ୍ୟ ଜାରି ରହିବ ବୋଲି ବୋଲି ସେମାନେ କହିଛନ୍ତି।

ଅନ୍ୟପକ୍ଷରେ ମୃତକଙ୍କର ଏବେ ଯାଏ କୌଣସି ପରିଚୟ ମିଳିପାରି ନାହିଁ। ଏଥିରେ ଜଣେ ଥିଲେ କି ଅନ୍ୟ ଜଣ‌େ ଥିଲେ ତାହା ମଧ୍ୟ ଜଣାପଡିନାହିଁ। ସକାଳୁ ଅଗ୍ନିଶମ ବିଭାଗ ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିବାବେଳେ ତାଙ୍କର କୌଣସି ପତ୍ତା ମିଳିନାହିଁ। ତେବେ ଏହି ଟ୍ରଲର ଜଣଙ୍କର କୌଣସି ପତ୍ତା ମିଳି ନାହିଁ। ଘଟଣାସ୍ତଳରେ ପାଇପ ସହ ଟ୍ରଲରଟି ୨୫ ଫୁଟ ତଳେ ପଡି ରହିଥିବାବେଳେ ବାର ବାର ଏହି ସ୍ଥାନରେ ହିଁ ଦୁର୍ଘଟଣା ଘଟୁଛି। ଚଳିତବର୍ଷ ଜାନୁଆରୀ ମାସରେ ଏହି ଅଞ୍ଚଳରେ ସାଇଡ ୱାଲ ତିଆରି ହୋଇଥିଲାବେଳେ ଏହା ଦୁର୍ବଳ ଭାବେ ତିଆରି ହୋଇଥିବାରୁ ଗାଡିଟି ଏତେ ତଳକୁ ପଳାଇଥିବା ଅନୁମାନ କରିଛି ପୁଲିସ। ଏନେଇ ଟାଉନ ପୁଲିସ ପକ୍ଷରୁ ଟ୍ରଲର ମାଲିକଙ୍କୁ ଖବର ଦିଆଯାଇଥିବାବେଳେ ସେଠାରୁ ଆସିବା ପରେ ଶବବ୍ୟବଚ୍ଛେଦ ହେବ ବ‌ୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର