ରାୟଗଡ଼ା: ଜିଲ୍ଳାରେ ଗଂଜେଇ ଭଳି ନିଶାଦ୍ରବ୍ୟର ଅବାଧ ଚୋରା ଚାଲାଣକୁ ରୋକିବା ପାଇଁ ଜିଲ୍ଳା ଅବକାରୀ ବିଭାଗ ସବୁବେଳେ ତତ୍ପରତା ଦେଖାଇ ଆସୁଛି। ଫଳରେ ଅନେକ ସମୟରେ ରାୟଗଡା ଜିଲ୍ଳାରୁ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିବା ଲକ୍ଷାଧିକ ଟଙ୍କାର ଗଂଜେଇକୁ ଜବତ କରିବାରେ ଏବଂ ଅଭିଯୁକ୍ତକୁ ଗିରଫ କରିବାରେ ବିଭାଗ ସଫଳତା ପାଇପାରିଛି। ଏହି କ୍ରମରେ ଗତକାଲି ବିଶେଷ ସୂତ୍ରରୁ ଖବର ପାଇ ରାୟଗଡା ଜିଲ୍ଳା ଅବକାରୀ ବିଭାଗ ଅଧୀକ୍ଷକ ଅଭିରାମ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ସଦର ଥାନା ନିରୀକ୍ଷକ ସୀମାକିରଣ ବେକ୍‌ଙ୍କ ନେତୃତ୍ୱରେ ସଦର ଥାନା ଉପନିରୀକ୍ଷକ ସଂଜୟ କୁମାର ପ୍ରଧାନ, ସହ ଉପନିରୀକ୍ଷକ ରାଶି ନାୟକଙ୍କ ସମେତ ଅନ୍ୟ ଷ୍ଟାଫ୍ମାନେ ରାୟଗଡା ରେଳବାଇ ଷ୍ଟେସନ ଛକ ନିକଟରେ ଗଂଜେଇ ଚୋରା ଚାଲାଣକୁ ନେଇ ଚଢାଉ କରିଥିଲେ।ଉକ୍ତ ସମୟରେ ସୁଜୟ ସରକାର (୨୯) ଓ ଶେଖ୍ ଆର୍ସଫ୍ (୨୪)ନାମକ ଦୁଇଜଣ ଯୁବକଙ୍କ ଠାରେ ବ୍ୟାଗକୁ ଯାଂଚ କରାଯାଇଥିବା ବେଳେ ମୋଟ ୪୨କେଜି ୨୬୦ଗ୍ରାମର ଗଂଜେଇ ଜବତ ହୋଇଥିଲା। ଅଭିଯୁକ୍ତ ସୁଜୟ ଓ ଶେଖ୍ ଆର୍ସଫଙ୍କ ଘର ପଶ୍ଛିମବଙ୍ଗରେ ବୋଲି ଜଣାପଡିଥିବା ବେଳେ ଜବତ ଗଂଜେଇର ଆନୁମାନିକ ବଜାର ମୂଲ୍ୟ ୪ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି।

Advertisment

ଜବତ ଗଂଜେଇ ରାୟଗଡ଼ା ଜିଲ୍ଳାରୁ ଦିଲ୍ଳୀକୁ ଚୋରା ଚାଲାଣ କରାଯାଉଥିବା ନେଇ ବିଭାଗୀୟ ସୂତ୍ରରୁ ଜଣାପଡିଥିବା ବେଳେ ଉଭୟ ଆସାମୀ ଦ୍ୱୟଙ୍କୁ ଅଦାଲତାରେ ହାଜର କରାଯାଇ ହାଜତକୁ ପଠାଯାଇଥିବା ନେଇ ଅବକାରୀ ଅଧୀକ୍ଷକ ଶ୍ରୀ ବେହେରା ସୂଚନା ପ୍ରଦାନ କରିଛନ୍ତି। ଏହି ଚଢାଉ ବେଳେ ସ୍ଥାନୀୟ ରେଳବାଇ ପୁଲିସ ସୁରକ୍ଷା ବଳ ଏବଂ ଜିଲ୍ଳା ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ଅଧିକାରୀ ଏବଂ କର୍ମଚାରୀମାନେ ସହଯୋଗ କରିଥିଲେ।