ଫୁଳବାଣୀ: ଆଜି ଫୁଳବାଣୀ ଓ ବ୍ରହ୍ମପୁର ରୋଡ କେରେଡି ଛକରେ ଏକ ଟ୍ରକ ଧକ୍କାରେ ଡିଉଟି ସାରି ଥାନାକୁ ଫେରୁଥିବା କରୋନା ଯୋଦ୍ଧା ଦୁଇ ଗୃହରକ୍ଷୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ ସଦର ଥାନାର ଗୃହରକ୍ଷୀ ସଦାନନ୍ଦ ସାହାଣୀ ଓ ପ୍ରତାପ ସାହାଣୀ କରୋନା କଣ୍ଟେନମେଣ୍ଟ ଘୋଷିତ କେରେଡି ଓ ଲାହାବାଡି ଅଞ୍ଚଳରେ ଡିଉଟି କରୁଥିଲେ। ଡିଉଟି ସାରି ଗୋଟିଏ ବାଇକରେ ଦୁହେଁ ଥାନାକୁ ଫେରୁଥିଲେ। ଅପରାହ୍ନ ଦୁଇଟା ହେବ। ବ୍ରହ୍ମପୁରକୁ ଫୁଲବାଣୀ ଆଡକୁ ଆସୁଥିବା ଏକ ମାଲବୋଝେଇ ଟ୍ରକ କେରେଡି ଛକରେ ସେମାନଙ୍କ ବାଇକକୁ ପଛ ପଟୁ ଜୋରରେ ଧକ୍କା ଦେଇଥିଲା। ଏଥିରେ ସଦାନନ୍ଦ ଓ ପ୍ରତାପ ଗୁରୁତର ହୋଇଥିଲେ। ସେମାନଙ୍କୁ ଆମ୍ବୁଲାନସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରାଯାଇଛି।

ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଧରିବା ନିମନ୍ତେ ପୁଲିସ ତନାଘନା କରିଥିଲା। ଶେଷରେ ଟ୍ରକକୁ ପୁଲିସ ଠାବ କରିଥିଲେ ସୁଦ୍ଧା ଡ୍ରାଇଭର ଦୌଡି ପଳାଇ ଯାଇଥିଲା। ଫୁଲବାଣୀ ଉପଖଣ୍ଡ ପୁଲିସ ଅଧିକାରୀ ମହେନ୍ଦ୍ରନାଥ ମୁର୍ମୁ ଓ ସଦର ଥାନା ଆଇଆଇସି ଆଦିତ୍ୟ କୁମାର ସେଠୀ କରୋନା ଯୋଦ୍ଧା ଦୁଇ ଗୁହରକ୍ଷୀଙ୍କ ଆଶୁ ଅରୋଗ୍ୟ କାମନା‌ କରିଛନ୍ତି।