କୋରାପୁଟରେ ହେବ ଆଉ ଦୁଇ କୋଭିଡ କେୟାର କେନ୍ଦ୍ର

କୋରାପୁଟ: ଜୟପୁରରେ ଆଜି କୋଭିଡ କେୟାର କେନ୍ଦ୍ର ଉଦ୍ଘାଟିତ ହୋଇଛି। ଆଗକୁ ଜିଲ୍ଲାରେ ଆଉ ଦୁଇଟି କୋଭିଡ କେୟାର କେନ୍ଦ୍ର କରିବାକୁ ନିଷ୍ପତ୍ତି ନିଆଯାଇଛି। କୋରାପୁଟ ସହରରେ ଦୁଇଟି କୋଭିଡ କେୟାର କେନ୍ଦ୍ର ଖୋଲାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଅପରପକ୍ଷରେ ବିଭିନ୍ନ ସଂସ୍ଥାକୁ ନିଜସ୍ବ କୋଭିଡ କେୟାର କେନ୍ଦ୍ର କରିବାକୁ ପରାମର୍ଶ ଦିଆଯାଇଛି।

କୋରାପୁଟ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ନିୟମିତ ଭାବେ ସଂକ୍ରମିତ ବାହାରୁଥିବାରୁ ଆଗକୁ ସ୍ଥିତି ଜଟିଳ ହେବାର ଆଶଙ୍କା ରହିଛି। ପୁଣି ସ୍ଥାନୀୟ ସଂକ୍ରମଣ ଚିନ୍ତା ବଢାଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଳାରେ କୋଭିଡ କେୟାର କେନ୍ଦ୍ର ବୃଦ୍ଧି ଉପରେ ଗୁରୁତ୍ବ ଦେଇଛି ପ୍ରଶାସନ। ଆଗରୁ ଜୟପୁରରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ଡାକ୍ତରଖାନା ରହିଥିଲାବେଳେ କୋରାପୁଟରେ ୨ଶହ ଶଯ୍ୟା ବିଶିଷ୍ଠ କୋଭିଡ କେୟାର କେନ୍ଦ୍ର କାର୍ଯ୍ୟ କରୁଛି। ଆଜି ଜୟପୁରରେ ଆଉ ଏକ ୭୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର କେନ୍ଦ୍ର ଉଦ୍ଘାଟିତ ହୋଇଛି। ଏହା ପରେ ଜିଲ୍ଳାରେ ଆଉ ଦୁଇଟି କୋଭିଡ କେୟାର କେନ୍ଦ୍ର କରାଯିବାକୁ ନିଷ୍ପତ୍ତି ହୋଇଛି। କୋରାପୁଟ ସହରରେ ଏହି ଦୁଇଟି କୋଭିଡ କେୟାର କେନ୍ଦ୍ର ହେବ। ଗାନ୍ଧୀନଗରରେ ଥିବା ଅନ୍ବେଷା କୋଠାରେ ଏହି କେନ୍ଦ୍ର କାମ କରିବ। ଦିନେ ଦୁଇଦିନ ଭିତରେ ଏଠାରେ ୬୦ ଶଯ୍ୟା ବିଶିଷ୍ଠ କୋଭିଡ କେୟାର କେନ୍ଦ୍ର କାର୍ଯ୍ୟକ୍ଷମ ହେବ। ପରେ ଏଠାରେ ୭୦ ଶଯ୍ୟା ବିଶିଷ୍ଟ ଆଉ ଏକ କୋଭିଡ କେୟାର କେନ୍ଦ୍ର କରାଯିବ ବୋଲି ଜଣାପଡିଛି। ସେହିପରି ଜିଲ୍ଲାରେ ବିଭିନ୍ନ ସଂସ୍ଥାକୁ ନିଜସ୍ବ କୋଭିଡ କେୟାର କେନ୍ଦ୍ର କରିବାକୁ ପରାମର୍ଶ ଦିଆଯାଇଛି। ଏଥିନେଇ ସିଡିଏମଓ ଡା. ମକରନ୍ଦ ବେଉରା କହିଛନ୍ତି ଯେ, କୋରାପୁଟରେ ଆଉ ଦୁଇଟି କୋଭିଡ କେୟାର କେନ୍ଦ୍ର କରାଯିବ। ଏହି କେନ୍ଦ୍ରରେ ୭୦ ଓ ୬୦ଟି ଲେଖାଏଁ ଶଯ୍ୟା ରହିବ। ସେହିପରି ନାଲକୋ, ହାଲ, ବିଏସଏଫ ଓ କୋବ୍ରା ପକ୍ଷରୁ ନିଜସ୍ବ କୋଭିଡ କେୟାର କେନ୍ଦ୍ର କରିବାକୁ କୁହାଯାଇଛି ବୋଲି ସିଡିଏମଓ କହିଛନ୍ତି।

କୋଭିଡ ରୋଗୀ ମୃତ !

କୋରାପୁଟ/ଜୟପୁର: କରୋନାରେ ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ଘର ଜୟପୁର ସହରର ଜୟନଗର ଅଂଚଳରେ। ତେବେ ଏଥିନେଇ ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ସୂଚନା ଅନୁସାରେ, ଜୟନଗର ଅଂଚଳରୁ ଜଣେ ଲୋକ କୋଭିଡ ପଜିଟିଭ ଚିହ୍ନଟ ହେଲା ଜୟପୁରସ୍ଥିତ କୋଭିଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏଠାରେ ତାଙ୍କର ଚିକିତ୍ସା ଚାଲିଥିଲା। କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଗତକାଲି ଭୁବନେଶ୍ବର ସ୍ଥାନାନ୍ତର କରାଯାଉଥିଲା। ଏକ ଆମ୍ବୁଲାନ୍ସରେ ତାଙ୍କୁ ଭୁବନେଶ୍ବର ନିଆଯିବା ସମୟରେ ବ୍ରହ୍ମପୁର ନିକଟରେ ଏହି ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆମ୍ବୁଲାନ୍ସକୁ ପଛରୁ ଏକ ଗାଡି ଧକ୍କା ଦେବାରୁ ଏହା ଭାଙ୍ଗିରୁଜି ଯାଇଥିଲା। ଏଥିରେ କୋଭିଡ ରୋଗୀଙ୍କୁ ମଧ୍ୟ ଆଘାତ ଲାଗିଥିଲା। ପରେ ତାଙ୍କୁ ବ୍ରହ୍ମପୁର କୋଭିଡ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ଏଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ଏଥିନେଇ ଆଜି ଜୟପୁରରେ ଖବର ପହଞ୍ଚିଥିଲା। କିନ୍ତୁ ଏଥିନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନି। ଜଣେ କୋଭିଡ ରୋଗୀଙ୍କୁ ଭୁବନେଶ୍ବର ନିଆଯିବା ସମୟରେ ଆମ୍ବୁଲାନ୍ସ ଦୁର୍ଘଟଣାକୁ ସ୍ବାସ୍ଥ୍ୟ ବିଭାଗ ସ୍ବୀକାର କରୁଥିଲେ ମଧ୍ୟ ଏଥିରେ ରୋଗୀଙ୍କ ମୃତ୍ୟୁ ନେଇ କିଛି କହି ନାହାନ୍ତି।

ସମ୍ବନ୍ଧିତ ଖବର