ଟଙ୍କା ନା ଦେବାରୁ ମତ୍ସ୍ୟଜୀବୀଙ୍କୁ ହତ୍ୟା, ଦୁଇ ଅଭିଯୁକ୍ତ ଗିରଫ

ରୂପସା: ବାଲେଶ୍ୱର ସଦର ବ୍ଲକ ବାହାବଳପୁର ସାମୁଦ୍ରିକ ଥାନା ଅନ୍ତର୍ଗତ ମାଛଧର ଜେଟି ଅଞ୍ଚଳରେ ଜଣେ ମତ୍ସ୍ୟଜୀବୀଙ୍କୁ ସୋମବାର ରାତିରେ ହତ୍ୟା କରାଯାଇଛି। ଟଙ୍କା ଧାର ନଦେବାରୁ ଦୁଇ ସାଙ୍ଗ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ମୃତ ମତ୍ସ୍ୟଜୀବୀ ହେଲେ ପଶ୍ଚିମବଙ୍ଗ ମୁର୍ଷିଦାବାଦ ଅଞ୍ଚଳର ସୁବଳ ମଣ୍ଡଳ (୫୩)। ବାହାବଳପୁରର ଚନ୍ଦନ ପାତ୍ର ଓ କେନ୍ଦ୍ରାପଡ଼ା ତାଳଚୁଆ ମେରାଇନ ଥାନା ଅଞ୍ଚଳର ସଚିନ ଚୌଧୁରୀ ଦୁଇ ସାଙ୍ଗ ଅଟନ୍ତି। ଏମାନେ ମଦ, ଗଞ୍ଜେଇ, ବ୍ରାଉନ ସୁଗାର ଆଦି ସେବନ କରି ନିଶାଗ୍ରସ୍ତ ଅବସ୍ଥାରେ ଘୁରି ବୁଲନ୍ତି। ସଚିନ ଓ ମୃତ ସୁବଳ ଦୀର୍ଘଦିନ ଧରି ଏହି ଜେଟିରେ ମତ୍ସ୍ୟଜୀବୀ ଭାବେ ସମୁଦ୍ରରୁ ମାଛ ଧରି ଗୁଜୁରାଣ ମେଣ୍ଟାଇଥାନ୍ତି। ସୋମବାର ରାତିରେ ସୁବଳ ପାଖରେ ୭/୮ ହଜାର ଟଙ୍କା ଥିବା ଦେଖି  ସଚିନ ଧାର ମାଗିଥିଲା।

ସେ ମନା କରିବାରୁ ଜୋର ଜବରଦସ୍ତ ଟଙ୍କା ବ୍ୟାଗ ଛଡାଇ ଦୁଇସାଙ୍ଗ ପଳାଇଥିଲେ। ମାତ୍ର ସୁବଳ ସେମାନଙ୍କ ପିଛା କରି ଗୋଡ଼ାଇବାରୁ ବଜାର ନିକଟରେ ସୁବଳର ମୁଣ୍ଡକୁ ସଚିନ ବାଡେଇଥିଲା। ଚନ୍ଦନ ସେଠାରେ ପଡ଼ିଥିବା ଏକ ପଇଡ଼ରେ ସୁବଳର ମୁହଁକୁ ଛେଚି ହତ୍ୟା କରିଥିଲେ। ଖବର ପାଇ ଆଇଆଇସି ମଧୁମିତା ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତ ସଚିନ ଓ ଚନ୍ଦନଙ୍କୁ ଗିରଫ କରିଥିଲେ।  ଆହତ ସୁବଳଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ହେଁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ। ସ୍ଥାନୀୟ ବ୍ୟବସାୟୀ ସପନ କରମାକରଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ନଂ ୧୫/୨୧ ରୁଜୁ କରି ମଙ୍ଗଳବାର ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ମୃତଦେହ ବ୍ୟବଚ୍ଛେଦ କରି ପୋଲିସ ତଦନ୍ତ ଜାରିରଖିଛି।

ସମ୍ବନ୍ଧିତ ଖବର