ବାରିପଦା: ଘରୁ ଡାକିଆଣି କରିଥିଲେ ସଂଘବଦ୍ଧ ଆକ୍ରମଣ। ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡିକାଲ୍ରେ ମୃତ୍ୟୁବରଣ କରିଥିଲେ ପିଡ଼ୀତ। ୨୫ ଜୁନ୍, ୨୦୧୦ରେ ବଡ଼ସାହି ଥାନା ଅନ୍ତର୍ଗତ ସାକୁଆ ଗ୍ରାମରେ ଘଟିଥିବା ଏହି ହତ୍ୟାକାଣ୍ଡ ମାମଲାର ଶୁଣାଣି କରି ଆଜି ଅତିରିକ୍ତ ସେସନ୍ ଜଜ୍(୧) ବାରିପଦା ଚୌଧୁରୀ ପ୍ରବୀର କୁମାର ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶର ରାୟ ଶୁଣାଇଛନ୍ତି। ଏଥିସହିତ ଦୁଇ ଅଭିଯୁକ୍ତ ଅନାଦି ଗିରି (୪୫) ଏବଂ ସଞ୍ଜୀବ ଗିରି (୩୮)ଙ୍କୁ ୩ହଜାର ଟଙ୍କା ଲେଖାଏଁ ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୩ ମାସ ଜେଲ୍ ଦଣ୍ଡ ରାୟ ଦେଇଛନ୍ତି ବିଚାରପତି। ମୃତକ ନିରଞ୍ଜନ ମହାପାତ୍ରଙ୍କ ପତ୍ନୀ ମଞ୍ଜୁଲତା ମହାପାତ୍ରଙ୍କ ଅଭିଯୋଗ ଅନୁଯାୟୀ ୨୫ ଜୁନ୍, ୨୦୧୦ ରାତି ପ୍ରାୟ ୮ ସମୟରେ ଅଭିଯୁକ୍ତ ମାନେ ମୃତକଙ୍କୁ ଘରୁ ଡାକି ଆଣି ମରଣାନ୍ତକ ଆକ୍ରମଣ କରିଥିଲେ। ବିଦ୍ୟାଳୟ କାମ ଏବଂ ଏନେଇ ହୋଇଥିବା ବିବାଦ କାରଣରୁ ନିରଞ୍ଜନଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଆହତଙ୍କୁ ପ୍ରଥମେ ପିଆରଏମ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏନେଇ ବଡ଼ସାହି ଥାନାରେ ୫୩-୨୬-୬-୧୦ରେ ଏକ ମାମଲା ରୁଜୁ ହୋଇଥିଲା। ପ୍ରଥମେ ୩୪୧/୩୨୩/୩୦୭ ଏବଂ ୩୪ ଆଇପିସିରେ ମାମଲାର ତଦନ୍ତ ଆରମ୍ଭ ହୋଇଥିଲା। ମାତ୍ର ପରେ ନିରଞ୍ଜନଙ୍କ ମୃତ୍ୟୁ ପରେ ଏହା ୩୦୨କୁ ପରିବର୍ତ୍ତନ ହୋଇଥିଲା। ଏହ ଘଟଣାରେ ୭ ଜଣଙ୍କ ବିରୋଧରେ ବିଚାର ହେଉଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇ ସାରିଛି। ମାନସ ଗିରି, ଲକ୍ଷ୍ମୀନାରାୟଣ ଗିରି, ରତିକାନ୍ତ ଗିରି ଏବଂ ସତ୍ୟ ରଞ୍ଜନ ଗିରିଙ୍କୁ ଏହି ମାମଲାରୁ ଖଲାସ କରାଯାଇଥିଲା। କେବଳ ଅନାଦି ଓ ସଞ୍ଜିବ ଗିରିଙ୍କୁ ଆଜୀବନ ସଜ୍ଜା ହୋଇଛି। ଏହି ଘଟଣାରେ ମୃତକଙ୍କ ପୁଅ ଦିଗନ୍ତ ମହାପାତ୍ର ଆହତ ହୋଇଥିଲେ। ୨୨ଜଣ ସାକ୍ଷୀଙ୍କ ବୟାନ ଏବଂ ୧୭ ଡକ୍ୟୁମେଣ୍ଟ୍କୁ ଭିତ୍ତିକରି ଏହି ରାୟ ପ୍ରଦାନ କରାଯାଇଛି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି କୃଷ୍ଣଚନ୍ଦ୍ର ଦାସ ଏହି ମାମଲାକୁ ପରିଚାଳନା କରିଥିଲେ।