ସାକ୍ଷ୍ୟ ପ୍ରମାଣ ଦେଇ ନପାରିବାରୁ ୧୨୧୦ କିଲୋ ଗଞ୍ଜେଇ ଚାଲାଣ ମାମଲାରେ ଦୁଇ ଅଭି‌ଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଜୟପୁର: ପୁଲିସ ଉପଯୁକ୍ତ ତଦନ୍ତ କରି ସଠିକ ସାକ୍ଷ୍ୟ ପ୍ରମାଣ କୋର୍ଟରେ ଦେଇ ନ ପାରିବାରୁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସହକାରୀ ସେସନସ୍ ଜଜ୍ ରାଜେଶ କୁମାର ନାୟର ୧୨୧୦କିଲୋ ଗଞ୍ଜେଇ ଚାଲାଣ ମାମଲାର ବିଚାର କରି ଦୁଇ ଅଭିଯୁକ୍ତ ସନ୍ତୋଷ ଖିଲ ଓ ଅଶୋକ ରାଠୋରଙ୍କୁ ନିର୍ଦୋଶରେ ଖଲାସ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଗତ ୨୦୧୯ମସିହା ମେ ୨୫ତାରିଖ ଦିନ ୧୨ଟା ବେଳେ ଜୟପୁର ସଦରଥାନା ପୁଲିସର ପାଟ୍ରୋଲିଂ ଗାଡି ଜୟପୁର- ବୋରିଗୁମ୍ମା ଜାତୀୟ ରାଜପଥରେ ଉମୁରୀ ନିକଟରେ ଥିଲା। ଏସମୟରେ ଟ୍ରକ ନଂ ୟୁପି-୬୩ଟି-୧୨୩୨ ଟି ପୁଲିସ ପେଟ୍ରୋଲିଂ ଗାଡ଼ିକୁ ଦେଖି ଅତ୍ୟନ୍ତ ଦ୍ରୁତଗତିରେ ଏବଂ ସନ୍ଦେହଜନକ ଭାବେ ଯାଇଥିଲା। ପୁଲିସ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ଟ୍ରକ ରଖିନଥିଲା। ପୁଲିସ ଗାଡ଼ି ଏହି ଟ୍ରକକୁ ଘୋଡାଇ ବିଷୋଇପୁଟ ଛକ ନିକଟରେ ଧରିଥିଲେ। ଟ୍ରକକୁ ଯାଞ୍ଚ କରିବାରେ ଏଥିରେ ୩୯ଟି ବସ୍ତାରେ ଗଞ୍ଜେଇ ଥିବା ଦେଖିଥିଲେ।

ଟ୍ରକରୁ ଚାଲାଣ କରୁଥିବା ଜୟପୁର ସଦରଥାନା ଅଞ୍ଚଳର ସନ୍ତୋଷ ଖିଲୋ ଓ ମଧ୍ୟପ୍ରଦେଶର ଅଶୋକ ରାଠୋରଙ୍କୁ ଟ୍ରକରୁ ପୁଲିସ ଗିରଫ କରିଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହାକୁ ଓଜନ କରିବାରେ ଏହା ୧୨୧୦କିଲୋ ହୋଇଥିଲା। ଏହି ମାମଲାରେ ସଂପୃକ୍ତ ଥିବା ୨ଜଣ ଅଭିଯୁକ୍ତ ଚମ୍ପଟ ମାରିଥିଲେ। ତେବେ ଜଣେ ଅଭିଯୁକ୍ତ ଜୟପୁର ସଦର ଥାନା ଅଞ୍ଚଳର ଅଜୟ ବାଘ ବୋଲି ପୁଲିସ ଚିହ୍ନଟ କରିଥିଲେ। ତେବେ ଉକ୍ତ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇ ପାରିନଥିଲେ। ଅଭିଯୁକ୍ତ ସନ୍ତୋଷ ଓ ଅଶୋକଙ୍କୁ କୋର୍ଟକୁ ଚାଳାଣ କରିଥିଲେ। ମାମଲାର ଶୁଣାଣି ଚାଳିବା ସମୟରେ ୧୦ଜଣଙ୍କ ସାକ୍ଷ୍ୟ ପ୍ରମାଣ ନିଆଯାଇଥିଲା। ଉପଯୁକ୍ତ ତଦନ୍ତ ଓସାକ୍ଷ୍ୟ ପ୍ରମାଣ ମିଳି ପାରି ନଥିବାରୁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସହକାରୀ ସେସନସ୍ ଜଜ୍ ରାଜେଶ କୁମାର ନାୟର ଅଭିଯୁକ୍ତ ଦ୍ବୟଙ୍କୁ ନିର୍ଦୋଶରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପାଇଁ ଆଇନଜୀବୀ ଆରତୀ ମହାନ୍ତି ଓ ସହଯୋଗୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର