ହାଇଦ୍ରାବାଦରୁ ଫେରିଲେ ୨ ଡଙ୍ଗରିଆ ଯୁବତୀ, ଚାଲି ଚାଲି ବିଜୟନଗରମ ଆସିବା ପରେ ଉଦ୍ଧାର କଲା ପ୍ରଶାସନ

ରାୟଗଡ଼ା: ଲକଡାଉନ୍ ଯୋଗୁ ହାଇଦ୍ରାବାଦରେ ଫସିଥିବା ୨ ଡଙ୍ଗରିଆ ଯୁବତୀ କୁମାରୀ ଟାକ୍ରି ଓ କ୍ରିତି କାଡ୍ରାକା ଆଜି ରାୟଗଡ଼ାରେ ପହଞ୍ଚିଛନ୍ତି। ସିକନ୍ଦରାବାଦରୁ ଚାଲି ଚାଲି ବିଜୟନଗରମ ପର୍ଯ୍ୟନ୍ତ ଆସିବା ପରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ଉଭୟ ଯୁବତୀକୁ ଉଦ୍ଧାର କରିଛି। ଉଭୟଙ୍କୁ ରାୟଗଡ଼ା ଆଶ୍ରୟସ୍ଥଳୀକୁ ଅଣାଯାଇ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବା ପରେ ପରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ କଲ୍ୟାଣସିଂହପୁର ବିଡ଼ିଓ ଅନୁପ କୁମାର ପଣ୍ଡାଙ୍କ ଜରିଆରେ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି।

କଲ୍ୟାଣସିଂହପୁର ବ୍ଲକ୍ ପାର୍ସାଲି ପଞ୍ଚାୟତ ନିର୍ଗୁଣ୍ଡି ଗ୍ରାମର ୨ ଯୁବତୀ ସିକନ୍ଦରାବାଦର ହେରସେଲ୍ ନାମକ ଘରୋଇ କଂପାନିରେ କାମ କରୁଥିଲେ। ଅଧିକ ରୋଜଗାର ଆଶାରେ ଦୁଇ ଯୁବତୀ କଂପାନିରେ କାମ କରି ନିଜେ ସ୍ବାବଲମ୍ବୀ ହେବା ସହ ଘର ଚଳାଇବାରେ ସକ୍ଷମ ହେଉଥିଲେ। ଲକଡାଉନ୍ ପରେ କଂପାନି ବନ୍ଦ ହୋଇଯିବା ଯୋଗୁ ରହିବା, ଖାଇବାରେ ଅସୁବିଧାର ସମ୍ମୁଖୀନ ହୋଇ ଘର ଅଭିମୁଖା ହୋଇଥିଲେ। ପଶ୍ଚିମବଙ୍ଗର ଶ୍ରମିକମାନେ ବିଶାଖାପାଟଣା ଅଭିମୁଖେ ଆସୁଥିବା ଜାଣି ୨ ଡଙ୍ଗରିଆ ଯୁବତୀ ସେମାନଙ୍କ ସହ ଚାଲି ଚାଲି ବିଜୟନଗରମ ପର୍ଯ୍ୟନ୍ତ ଆସିଥିଲେ। ସେଠାରୁ ପାର୍ସାଲି ସରପଞ୍ଚଙ୍କୁ ଫୋନ୍ ଜରିଆରେ ସମସ୍ୟା ସଂପର୍କରେ ଜଣାଇଥିଲେ।

ସରପଞ୍ଚ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବିଡ଼ିଓ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ଘଟଣା ସଂପର୍କରେ ଅବଗତ କରିଥିଲେ। ତୁରନ୍ତ ଉଭୟ ଯୁବତୀକୁ ବିଜୟନଗରମରୁ ଉଦ୍ଧାର କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଏକ ସ୍ବତନ୍ତ୍ର କାରରେ ୨ ଯୁବତୀଙ୍କୁ ଅଣାଯାଇ ରାୟଗଡ଼ା ଠକ୍କର ବାପା ଆଶ୍ରମ ଅଭ୍ୟର୍ଥନା କେନ୍ଦ୍ରରେ ରଖାଯାଇଥିଲା। ଜିଲ୍ଲାପାଳଙ୍କ ନିର୍ଦେଶନୁଯାୟୀ, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ଅଭ୍ୟର୍ଥନା କେନ୍ଦ୍ର ଦାୟିତ୍ବରେ ଥିବା ରାୟଗଡ଼ା ବିଡ଼ିଓ ରାଜେନ୍ଦ୍ର କୁମାର ମାଝି, ପରିବହନ ଅଧିକାରୀ ଦିଲ୍ଲୀପ କୁମାର ଦଳାଇ, ଅତିରିକ୍ତ ବିଡ଼ିଓ ନୃସିଂହ ଚରଣ ପଟ୍ଟନାୟକ, କଲ୍ୟାଣସିଂହପୁର ବିଡ଼ିଓ ଅନୁପ ପଣ୍ଡାଙ୍କ ଉପସ୍ଥିତିରେ କାରରେ ବୁଡ଼ାଗୁଡା ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରକୁ ପଠାଯାଇଛି। ୨୧ ଦିନ ସଙ୍ଗରୋଧରେ ରହିବା ପରେ ଘରକୁ ଫେରିବା ସମୟରେ ଉଭୟ ଯୁବତୀକୁ ୨୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର