ରାଉରକେଲା: ଇତିମଧ୍ୟରେ ୧୩ତମ ଜାତୀୟ କନିଷ୍ଠ ବାଳକ ହକି ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ଏହା ପୂର୍ବରୁ ଜାତୀୟ ଉପକନିଷ୍ଠ ବାଳକ ଓ ବାଳିକା ପ୍ରତିଯୋଗିତା ମଧ୍ୟ ରାଉରକେଲାସ୍ଥ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ତିନି ଜାତୀୟ ପ୍ରତିଯୋଗିତାକୁ ସହରବାସୀ ଖୁବ୍ ଉପଭୋଗ କରିଥିଲେ। ଏବେ ଜିଲ୍ଲାର ହକିପ୍ରେମୀ ପୁଣି ଜାତୀୟ ହକି ପ୍ରତିଯୋଗିତାର ସୁଯୋଗ ପାଇବେ। କାରଣ, ଆସନ୍ତା ମଙ୍ଗଲବାରଠାରୁ ଜାତୀୟ କନିଷ୍ଠ ବାଳିକା ହକି ପ୍ରତିଯୋଗିତା ଆରମ୍ଭ ହେବ। ପ୍ରତିଯୋଗିତାରେ ଓଡ଼ିଶା ବାଳିକା ଦଳ ମଣିପୁର ଓ ତାମିଲନାଡ଼ୁ ସହ ପୁଲ୍ ସି’ରେ ସ୍ଥାନ ପାଇଛି। ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍ ୩୦ ତାରିଖରେ ମଣିପୁର ବିପକ୍ଷରେ ଖେଳିବ। ପରେ ଦ୍ବିତୀୟ ମ୍ୟାଚ୍ ଜୁଲାଇ ୩ରେ ତାମିଲନାଡ଼ୁ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ। ଦୁଇ ଦିନ ପୂର୍ବେ ଉଦ୍ଯାପିତ ଜାତୀୟ କନିଷ୍ଠ ବାଳକ ହକି ପ୍ରତିଯୋଗିତାରେ ଓଡ଼ିଶାର ଫଳ ଆଶାନୁରୂପ ନଥିବାବେଳେ ଏଥର ବାଳିକାଙ୍କଠାରୁ ଉତ୍କୃଷ୍ଟ ପ୍ରଦର୍ଶନ ଆଶା ବଢ଼ିଯାଇଛି। ଏଥର ଓଡ଼ିଶା ବାଳିକା ଦଳ କରିସ୍ମା ଦେଖାଇବବୋଲି ହକିପ୍ରେମୀ ଆଶାବାନ୍ଧି ବସିଛନ୍ତି।
ଜାତୀୟ ବାଳକ ପ୍ରତିଯୋଗିତାରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି ସତ; କିନ୍ତୁ ଏକାଧିକ ରେକର୍ଡ ଓଡ଼ିଶା ଖେଳାଳିଙ୍କ ନାଁରେ ରହିଛି। ପ୍ରତିଯୋଗିତାରେ ୪୭ଟି ମ୍ୟାଚ୍ ଖେଳାଯାଇଥିବାବେଳେ ମୋଟ୍ ୪୨୮ଟି ଗୋଲ୍ ସ୍କୋର୍ ହୋଇଥିଲା। ଏଥିମଧ୍ୟରୁ ୨୫୯ଟି ଫିଲ୍ଡ ଗୋଲ୍ ଥିବାବେଳେ ୧୫୭ଟି ପେନାଲ୍ଟି କର୍ଣ୍ଣର୍ରୁ ଓ ୧୨ଟି ପେନାଲ୍ଟି ଷ୍ଟ୍ରୋକ୍ରୁ ଆସିଥିଲା। ପ୍ରତିଯୋଗିତାରେ ସର୍ବାଧିକ ଗୋଲ୍ କରିଥିବା ଦଳ ତାଲିକାରେ ଦିଲ୍ଲୀ ଟେବଲ୍ ଶୀର୍ଷରେ ରହିଛି। ସର୍ବାଧିକ ୪୪ ଗୋଲ୍ ସହ ଦିଲ୍ଲୀ ପ୍ରଥମ ସ୍ଥାନରେ ଥିବାବେଳେ ୪୧ ଗୋଲ୍ ଦେଇ ପଞ୍ଜାବ ଦ୍ବିତୀୟ ସ୍ଥାନରେ, ୪୦ ଗୋଲ୍ରେ ଓଡ଼ିଶା ତୃତୀୟ, ୩୯ ଗୋଲ୍ ସହ ଝାଡ଼ଖଣ୍ଡ ଚତୁର୍ଥ, ୩୭ ଗୋଲ୍ ସହ ମଣିପୁର ପଞ୍ଚମ, ୩୩ ଗୋଲ୍ ସହ ମଧ୍ୟପ୍ରଦେଶ ଷଷ୍ଠ, ୨୯ ଗୋଲ୍ ସହ ଚଣ୍ଡିଗଡ଼ ସପ୍ତମ, ୨୧ ଗୋଲ୍ ସହ ହରିୟାଣା ଅଷ୍ଟମ, ୧୮ ଗୋଲ୍ ସହ ମହାରାଷ୍ଟ୍ର ନବମ ଓ ୧୬ଟି ଗୋଲ୍ ଦେଇ ଛତିଶଗଡ଼ ଦଶମ ସ୍ଥାନରେ ରହିଛି।
ସେହିଭଳି ସର୍ବାଧିକ ବ୍ୟକ୍ତିଗତ ଗୋଲ୍ ସ୍କୋରର୍ ତାଲିକାରେ ଚଣ୍ଡିଗଡ଼ର ସୁରୀନ୍ଦର ସିଂହ(୧୧) ପ୍ରଥମ ସ୍ଥାନରେ ରହିଥିବାବେଳେ ପଞ୍ଜାବର ଦିଲରାଜ ସିଂହ(୧୦ ଗୋଲ୍) ଦ୍ବିତୀୟ, ୯ଟି ଲେଖାଏ ଗୋଲ୍ ଦେଇ ଆକାଶ ସୋରେଙ୍ଗ(ଓଡ଼ିଶା), ଆନନ୍ଦ ୱାଇ.(ତାମିଲନାଡ଼ୁ) ଓ ନୀତେଶ(ଦିଲ୍ଲୀ) ଯୁଗ୍ମଭାବେ ତୃତୀୟ, ୮ଟି ଲେଖାଏ ଗୋଲ୍ ଦେଇ ଗୁରମୟୁମ ଡିଙ୍କୁ ଶର୍ମା(ମଣିପୁର) ଓ ୟୋଗେମ୍ବର ରାୱତ(ଦିଲ୍ଲୀ) ଚତୁର୍ଥ ଏବଂ ୭ଟି ଲେଖାଏ ଗୋଲ୍ ଦେଇ ପଙ୍କଜ(ଦିଲ୍ଲୀ) ଓ ଧରମବୀର ସିଂହ(ଚଣ୍ଡିଗଡ଼) ପଞ୍ଚମ ସ୍ଥାନରେ ରହିଛନ୍ତି।
ଏହି ୯ ଜଣ ଖେଳାଳି ମୋଟ୍ ୭୮ଟି ଗୋଲ୍ ଦେଇଥିଲେ। ଅବଶିଷ୍ଟ ୩୫୦ ଗୋଲ୍ ମଧ୍ୟରୁ ୮ ଜଣ ଖେଳାଳି ୬ଟି ଲେଖାଏ ଗୋଲ୍ ଦେଇଥିବାବେଳେ ୯ ଜଣ ୫ଟି ଲେଖାଏ ଗୋଲ, ୧୩ ଜଣ ୪ଟି ଲେଖାଏ ଗୋଲ, ୨୧ ଜଣ ୩ଟି ଲେଖାଏ ଗୋଲ, ୩୫ ଜଣ ୨ଟି ଲେଖାଏ ଗୋଲ ଓ ୭୨ ଜଣ ଖେଳାଳି ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ।
ଜାତୀୟ କନିଷ୍ଠ ବାଳକ ଓ ବାଳିକା ପ୍ରତିଯୋଗିତା ଭଳି ଏଥିରେ କିନ୍ତୁ ବଡ଼ ବ୍ୟବଧାନ ବିଜୟ ବିଶିଷ୍ଟ ମ୍ୟାଚ୍ ଦେଖିବାକୁ ମିଳିଥିଲା। ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ଦିଲ୍ଲୀ ୨୬-୧ ଗୋଲ୍ରେ ମିଜୋରାମକୁ ପରାସ୍ତ କରିଥିଲା; ଯାହାକି ପ୍ରତିଯୋଗିତର ବଡ଼ ବ୍ୟବଧାନରେ ମ୍ୟାଚ୍ ବିଜୟ ରେକର୍ଡ ହୋଇଛି। ସେହିଭଳି ମଣିପୁର ୧୯-୦ ଗୋଲ୍ରେ ଗୁଜୁରାଟକୁ ପରାସ୍ତ କରି ଦ୍ବିତୀୟ ବଡ଼ ବିଜୟ ହାସଲ କରିଥିଲା। ତେବେ ୩ଟି ଦଳ ୧୮ଟି ଲେଖାଏ ଗୋଲ୍ ଦେଇ ମ୍ୟାଚ୍ ଜିତିଥିଲେ। ଝାଡ଼ଖଣ୍ଡ ୧୮-୦ ଗୋଲ୍ରେ ଗୋଆକୁ ପରାସ୍ତ କରିଥିବାବେଳେ ଓଡ଼ିଶା ୧୮-୦ ଗୋଲରେ ଗୁଜୁରାଟକୁ ଓ ପଞ୍ଜାବ ୧୮-୦ ଗୋଲରେ ମିଜୋରାମକୁ ପରାସ୍ତ କରିଥିଲା। ପ୍ରତିଯୋଗିତାରେ ମୋଟ୍ ୭ଟି ଦଳ ଗୋଟିଏ ବି ମ୍ୟାଚ୍ ଜିତିନପାରି ଶୂନ ପଏଣ୍ଟ୍ରେ ରହିଥିଲେ।
ସେଗୁଡ଼ିକ ହେଲା,-କେରଳ, ଆନ୍ଦ୍ରପ୍ରଦେଶ, ହିମାଚଳପ୍ରଦେଶ, ଗୁଜୁରାଟ, ତ୍ରିପୁରା, ଗୋଆ ଓ ମିଜୋରାମ। ପ୍ରତିଯୋଗିତାରେ ମିଜୋରାମ ଦଳ ସର୍ବାଧିକ ଗୋଲ୍ ବରଣ କରିଥିଲା। ମିଜୋରାମ ମାତ୍ର ୩ଟି ଗୋଲ୍ ସ୍କୋର୍ କରିବାରେ ସକ୍ଷମ ହୋଇଥିବାବେଳେ ୪୮ଟି ଗୋଲ୍ ବରଣ କରିଥିଲା। ସେହିଭଳି ଗୁଜୁରାଟ ୪୪ଟି ଗୋଲ୍ ବରଣ କରିଥିବାବେଳେ ୩ଟି ଗୋଲ୍ ସ୍କୋର୍, ଗୋଆ ୩୨ଟି ଗୋଲ୍ ବରଣ କରିଥିବାବେଳେ ୨ଟି ଗୋଲ୍ ସ୍କୋର୍, କେରଳ ୨୫ଟି ଗୋଲ୍ ବରଣ କରିଥିବାବେଳେ ଗୋଟିଏ ଗୋଲ୍ ସ୍କୋର୍ ଏବଂ ଆନ୍ଧପ୍ରଦେଶ ୨୫ଟି ଗୋଲ୍ ବରଣ କରିଥିବାବେଳେ କେବଳ ୪ଟି ଗୋଲ୍ ସ୍କୋର୍ କରିବାରେ ସକ୍ଷମ ହୋଇଥିଲା।