କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଦୁଇଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଯାପିତ

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଏବଂ ଅର୍ଥନୀତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ଭାରତରେ ବିକାଶର ଯାତ୍ରା: ସ୍ୱାଧୀନତାର ୭୫ତମ ବର୍ଷରେ ଅର୍ଥନୈତିକ ଓ ଯୋଗାଯୋଗ ଦୃଶ୍ୟପଟ୍ଟରେ ପ୍ରତିଫଳନ’ ଶୀର୍ଷକ ଦୁଇଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଗତ ୨୦୨୩ ମାର୍ଚ୍ଚ ୨୯ ତାରିଖରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ଶୁଭେଚ୍ଛା ଜଣାଇବା ସହ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଗବେଷକ ଓ ଅଧ୍ୟାପକମାନେ ଅନ୍ତର୍ଜାତୀୟ ସମ୍ମିଳନୀରେ ବିଭିନ୍ନ ବିଷୟର ପ୍ରଖ୍ୟାତ ବିଦେଶୀ ଓ ଭାରତୀୟ ପ୍ରତିନିଧିଙ୍କ କଥା ଶୁଣି ଓ ଆଲୋଚନା କରି ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ନୂତନ ଦିଗନ୍ତକୁ ଆବିଷ୍କାର କରିଛନ୍ତି ଏବଂ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବିକଶିତ ହୋଇଛି ବୋଲି ଆଶା ବ୍ୟକ୍ତ କରିଥିଲେ।

ତୁରିନ୍ ବିଶ୍ୱବିଦ୍ୟାଳୟର ଡ. ମାଟିଲ୍ଡା ଆଡୁସି ଉଦ୍ ଘାଟନୀ ଭାଷଣ ପ୍ରଦାନ କରିଥିଲେ। ଏହି ପ୍ୟାନେଲରେ ବାଂଲାଦେଶର ଏମବିଏସଟିୟୁର ଅର୍ଥନୀତି ପ୍ରଫେସର ସଞ୍ଜୟ କୁମାର ସାହା ଏବଂ ‘ଦମନ’ ଫେମ୍ ର ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଦେବୀ ପ୍ରସାଦ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ ବିଶ୍ୱବିଦ୍ୟାଳୟର ଏକାଡେମିକ ଓ ପ୍ରଶାସନ ପରାମର୍ଶଦାତା ପ୍ରଫେସର ସୁଧେନ୍ଦୁ ମଣ୍ଡଳ ଓ ଭାଷା ବିଦ୍ୟାଳୟର ଡିନ୍ ପ୍ରଫେସର ଏନ୍ ସି ପଣ୍ଡା ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନ୍ତର୍ଜାତୀୟ ସମ୍ମିଳନୀର ଆବାହକ ଅର୍ଥନୀତି ବିଭାଗର ଭାରପ୍ରାପ୍ତ ମୂଖ୍ୟ ଡ. ମିନତୀ ସାହୁ ଓ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଭାରପ୍ରାପ୍ତ ମୂଖ୍ୟ ଡ. ସୌରଭ ଗୁପ୍ତା ଉପସ୍ଥିତ ଥିଲେ।

ଏହି ଅବସରରେ ଡ. ଆଡୁଚି ପାରମ୍ପରିକ ଯୁଗରୁ ଆରମ୍ଭ କରି ଉଦାରୀକରଣ ଓ ନବ ଉଦାରୀକରଣ ଯୁଗ ପର୍ଯ୍ୟନ୍ତ ଅର୍ଥନୈତିକ ବିକାଶର ଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ। ସେ ଓଡ଼ିଶାର ଅର୍ଥନୀତି ଉପରେ ଗୁରୁତ୍ୱ ଦେଇଥିଲେ। ଚଳଚ୍ଚିତ୍ର ନିର୍ମାତା ଦେବୀ ପ୍ରସାଦ ଲେଙ୍କା ସାମାଜିକ ପରିବର୍ତ୍ତନରେ ଚଳଚ୍ଚିତ୍ରର ଭୂମିକା ଉପରେ ଆଲୋଚନା କରିଥିଲେ। ସାମାଜିକ ସମସ୍ୟା ହେଉଛି ଚଳଚ୍ଚିତ୍ର ପାଇଁ ପ୍ରେରଣାର ଉତ୍ସ ବୋଲି ସେ କହିଥିଲେ । ପ୍ରଫେସର ସାହା ତାଙ୍କ ଅଭିଭାଷଣରେ ସ୍ୱାଧୀନ ଭାରତରେ ଅର୍ଥନୀତିର ଅଭିବୃଦ୍ଧି ଓ ବିକାଶ ଉପରେ ଗୁରୁତ୍ୱରୋପ କରିବା ସହ କୃଷି, ଶିଳ୍ପାୟନ ଓ ପ୍ରଯୁକ୍ତି ବିଦ୍ୟା ଉପରେ ବିଶେଷ ଧ୍ୟାନ ଦେଇଥିଲେ । ସେ ଭାରତର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ବିଶେଷ କରି ଆୟୁଷ୍ମାନ ଭାରତ ଏବଂ ଡିଜିଟାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।

ସମ୍ବନ୍ଧିତ ଖବର