କଲ୍ୟାଣସିଂପୁର (ରାୟଗଡ଼ା): ଗଛ କାଟୁଥିବା ବେଳେ ଏହା ନିଜ ଉପରେ ଚାପି ହୋଇଯିବାରୁ ରବିବାର ଅପରାହ୍ନରେ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲ୍ଲାର କାଶୀପୁର ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ଗୋଡ଼ିବାଲି ପଂଚାୟତ ଅନ୍ତର୍ଗତ ଚିରିକୁଲି ଗାଁର ଲଛମନ ମାଝୀ ଓ ବାରି ମାଝୀ। ଉଭୟ ଲଛମନ ମାଝୀ ଓ ବାରି ମାଝୀଙ୍କ ବୟସ ୩୦ରୁ ୩୫ ବର୍ଷ ହେବ।

Advertisment

ସୂଚନା ଅନୁସାରେ ପକ୍କା ଘର ନିର୍ମାଣ ପାଇଁ ଉଭୟ ଲଛମନ ଓ ବାରି ଘରର ପଛପଟରେ କିଛି ଦିନ ହେବ ଇଟା ଗଢ଼ିଥିଲେ। ସୁଖିଲା ଇଟାକୁ ଭାଟିରେ ପୋଡ଼ିବା ପାଇଁ ସେମାନେ ଗଛ କାଟିବାକୁ ଯାଇଥିଲେ। ଆଜି ଅପରାହ୍ନ ସମୟରେ ଦୁଇ ଜଣ ଗାଁ ନିକଟରେ ଥିବା ପାହାଡ଼ ତଳେ ଗଛ କାଟୁଥିଲେ। ଏହି ସମୟରେ ଦୁର୍ଘଟଣା ଘଟିଥିଲା। ନିଜର ଅବହେଳା ଯୋଗୁଁ ବିଶାଳକାୟ ଗଛ ଲଛମନ ଓ ବାରିଙ୍କ ଉପରେ ଢ଼ଳିପଡ଼ିଥିଲା। ସେମାନେ ପୂର୍ବରୁ ସତର୍କ ନଥିବାରୁ ଘଟଣାସ୍ଥଳରୁ ପଳାୟନ କରିପାରି ନଥିଲେ। ଫଳରେ ଉଭୟଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା।

ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ କାଶୀପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ପୋଷ୍ଟମର୍ଟମ ପରେ ପୁଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତେବେ ଏକ ଆକସ୍ମିକ ମୃତ୍ୟୁକୁ ନେଇ ଲୋକେ ନାନା କଥା କହୁଥିବା ବେଳେ ଗାଁରେ ଶୋକର ଛାୟା ଖେଳିଯାଇଛି।