ଖୋର୍ଦ୍ଧା: ଆଜି ଭୋର ସମୟରେ ଏକ ବଡ଼ଧରଣର ଅଘଟଣ ଘଟିଛି । ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟ ଛକ ନିକଟରେ ନିର୍ମାଣାଧୀନ ଉଡ଼ନ୍ତାପୋଲରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଅସ୍ଥାୟୀ ଘର ଉପରେ ଏକ ଟ୍ରକ ଭାରସାମ୍ୟ ହରାଇ ଚଢ଼ିଯିବା ଫଳରେ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିବା ସହ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।
ସୂଚନାନୁସାରେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ଠାରେ ନିର୍ମାଣାଧୀନ ଉଡ଼ନ୍ତାପୋଲ ତଳେ ଶ୍ରମିକମାନଙ୍କ ପାଇଁ ନିର୍ମାଣ ହୋଇଥିବା ଅସ୍ଥାୟୀ ଘରେ ଶ୍ରମିକମାନେ ସାରା ରାତି କାମ କରି ଶୋଇଥିଲେ । ଆଜି ପ୍ରାୟ ଭୋର ସାଢ଼େ ୫ଟା ବେଳେ ଭୁବନେଶ୍ୱରରୁ ଖୋର୍ଦ୍ଧା ଆସୁଥିବା ଏକ ବାଲି ବୋଝେଇ ଟ୍ରକ (ଓଆର୍ ୦୨ଏ ୭୩୪୮) ଟି ଭାରସାମ୍ୟ ହରାଇ ଶ୍ରମିକଙ୍କ ଅସ୍ଥାୟୀ ଘର ଉପରେ ଚଢ଼ିଯାଇଥିଲା । ଫଳରେ ସେଠାରେ ଶୋଇଥିବା ଦୁଇଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଥିଲେ । ସୂଚନା ପାଇ ଅଗ୍ନିଶମ ବିଭାଗ ପହଂଚି ଟ୍ରକ ତଳେ ଚାପି ହୋଇରହିଥିବା ଶ୍ରମିକଙ୍କୁ ଉଦ୍ଧାର କରି ଆହତଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ।
ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଫେରାର୍ ହୋଇଯାଇଛି । ମୃତ୍ୟୁ ଘଟିଥିବା ଦୁଇଜଣ ଶ୍ରମିକ ପଶ୍ଚିମବଙ୍ଗର ଦକ୍ଷିଣ ଦିନଜାପୁରର ହିଲି ଥାନା ଅନ୍ତର୍ଗତ ମୋହିସନ୍ତୋ ଗାଁର କନକ ପାହନ (୨୧) ଓ ବାଦଲ ପାହନ (୧୯) ଏବଂ ଆହତ ହୋଇଥିବା ଦୁଇ ଶ୍ରମିକଙ୍କ ନାମ ଅସିମ ସରକାର (୨୧) ଓ ସାଗର ମଣ୍ଡଳ (୨୨) ବୋଲି ଜଣାଯାଇଛି । ସେମାନେ ପୋଲ ନିର୍ମାଣ କରୁଥିବା ସଂସ୍ଥା ଏଆଇପିଏଲ୍ ଦ୍ୱାରା ଠିକାରେ କାମ କରୁଥିଲେ ।
ଦୁର୍ଘଟଣାର ଅନେକ ସମୟ ପର୍ଯ୍ୟନ୍ତ ଶ୍ରମିକଙ୍କ ଠିକଣା ସ୍ପଷ୍ଟ ହୋଇନଥିଲା, ପରେ ପରେ ପୁଲିସ ଅନେକ ଅନୁସନ୍ଧାନ ପରେ ସେମାନଙ୍କ ପରିଚୟ ଚିହ୍ନଟ କରିଥିଲା । ଏନେଇ ଖୋର୍ଦ୍ଧା ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ସଂଜୟ ପଟ୍ଟନାୟକ କହିଛନ୍ତି ଯେ ୩୧୧/୨୦୨୨ରେ ଏକ ମାମଲା ରୁଜୁ କରାଯାଇଛି ଓ ଟ୍ରକର ପଂଜିକୃତ ନମ୍ବରକୁ ଭିତ୍ତି କରି ଏହା ମାଲିକଙ୍କୁ ପଚରାଉଚୁରା ପାଇଁ ଡକାଯାଇଛି । ଖୁବ୍ ଶୀଘ୍ର ଫେରାର୍ ଥିବା ଟ୍ରକ୍ ଚାଳକ ବିରୋଧରେ ଆଇନାନୁସାରେ ପଦକ୍ଷେପ ନିଆଯିବ । ମୃତକଙ୍କ ଶରୀର ବ୍ୟବଚ୍ଛେଦ ପରେ ରାତିରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି ।