ଭିନ୍ନ ଭିନ୍ନ ସ୍ଥାନରେ ବାଇକ୍‌ ଦୁର୍ଘଟଣା: ୨ ମୃତ, ଜଣେ ଆହତ

କେସିଙ୍ଗା/ଚନ୍ଦାହାଣ୍ଡି: କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଓ ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଂଚଳରେ ୨ଟି ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ କେସିଙ୍ଗା ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥର କେନ୍ଦୁପଡ଼ା ଦ୍ରୋଣାଚାର୍ଯ୍ୟ ସ୍କୁଲ ନିକଟରେ ଏକ ବାଇକ୍‌କୁ ବୋଲେରୋ ଧକ୍କା ଦେବା ଫଳରେ ଛବି ମାଝୀ (୫୫) ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଛବିଙ୍କର ପୁଅ ଧବଳେଶ୍ୱର ମାଝୀ(୨୨)ଗୁରୁତର ଆହତ ହୋଇଛନ୍ତି। ବାପା ଓ ପୁଅ ନିଜ ବାମିନି ଗ୍ରାମରୁ ବାଇକରେ ଯୋଗେ ବାହାରି ଭବାନୀପାଟଣା ଆଡ଼କୁ ଯଉଁଥିଲେ। ବିପରୀତ ଦିଗରୁ ଆସୁଥିବା ବୋଲେରୋ (ଓଆର୦୮-ସି ୭୦୦୯) ଶକ୍ତ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଛବିଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଆହାତ ଧବଳେଶ୍ୱରଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ସେହିପରି ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧୀନସ୍ଥ ଦେଓବନ୍ଧ ବତାଝର ରାସ୍ତାରେ ଏକ ବାଇକ୍‌ ଦୁର୍ଘଟାଗ୍ରସ୍ତ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ଚନ୍ଦାହାଣ୍ଡି ଥାନା ଅର୍ନ୍ତଗତ ଲାଙ୍ଗପଡା ଗ୍ରାମର ଦୀପେନ୍ଦ୍ର କୁମାର ବାରିକ୍‌। ସେ କୌଣସି କାର୍ଯ୍ୟରେ ନିଜଘର ଲଙ୍ଗପଡ଼ାରୁ ଉମରକୋଟ ଯାଇଥିଲେ। ତେବେ ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘର କୁ ଫେରି ନଥିଲେ। ଦେଓବନ୍ଧ ବତାଝର୍‌ ରାସ୍ତାର ଧରାକୋଟ ଗ୍ରାମ ନିକଟରୁ ତାଙ୍କର ମୃତଦେହ ଠାବ ହୋଇଥିଲା। ଖବର ପାଇ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।

ସମ୍ବନ୍ଧିତ ଖବର