ହାଇଡ୍ରା-ବାଇକ୍‌ ମୁହାଁମୁହିଁ ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ରାସ୍ତାରୋକ

ଦେଓଗାଁ/ଗୁଡ଼ଭେଲା: ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଦେଓଗାଁ- ତୁଷୁରା ରାସ୍ତାର ରେଲୱେ ଗେଟ୍‌ ନିକଟରେ ସୋମବାର ଏକ ହାଇଡ୍ରା ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି ଏବଂ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ବୟ ହେଲେ ବଲାଙ୍ଗୀର ସାଗରପଡ଼ାର ହେମନ୍ତ ମନହୀରା ଓ ନୁଆଁଖାଉ ଚାଆର। ଆହତ ଯୁବକ ବଲାଙ୍ଗୀର ଇଚ୍ଛାପଡ଼ାର ପେଟୁ ମହାଲିଙ୍ଗଙ୍କୁ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରକାଶ ଯେ, ଉକ୍ତ ତିନି ଯୁବକ ବାଇକ୍‌ ତୁଷରା ଉଡ଼ାଜାହାଜ ପଡ଼ିଆ କାନ୍ଥରେ ପେଣ୍ଟିଂ କାମ ସାରି ଦିନ ୧୨ଟାରେ ବାଇକ୍‌ (ଓଡି ୦୩ ଏନ ୮୮୭୫) ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଦେଓଗାଁ ପଟରୁ ଯାଉଥିବା ହାଇଡ୍ରା ଗାଡ଼ି (ଓଡି ୦୩ ଏନ ୭୨୨୮) ସହ ରେଲୱେ ଗେଟ୍‌ଠାରୁ ୫ ଶହ ମିଟର ଦୂର ବୁଲାଣିରେ ସେମାନଙ୍କ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ହେମନ୍ତଙ୍କ ମୃତ୍ୟୁ ଘଟିଥିଲା। ଦେଓଗାଁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଥିବା ନୂଆଁଖାଉ ଓ ପେଟୁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ପଠାଇଥିଲେ। ସେଠାରୁ ଉଭୟଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଉଥିବା ସମୟରେ ବାଟରେ ନୂଆଁଖାଉଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ପରେ କ୍ଷତିପୂରଣ ଦାବି କରି ମୃତକଙ୍କ ପରିବାର ଲୋକେ ଶବ ରଖି ଦେଓଗାଁ- ତୁଷୁରା ରାସ୍ତାକୁ ୩ ଘଣ୍ଟା ଅବରୋଧ କରିଥିଲେ। ତୁଷୁରା ଥାନା ଆଇଆଇସି ଯଶୋବନ୍ତ ପ୍ରଧାନୀ, ଏସ୍‌ଆଇ ତୁଳସୀରାମ ଶବର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ। କ୍ଷତିପୂରଣ ବାବଦରେ ହାଇଡ୍ରା ଗାଡ଼ି ମାଲିକ କିଛି ଆର୍ଥିକ ସହାୟତା ଦେବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ଏନେଇ ତୁଷୁରା ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର