ଟ୍ରକ୍ ଚାପିଦେଲା; ୨ମୃତ, ଜଣେ ଗୁରୁତର

ଘଟଗାଁ/ଢେଙ୍କିକୋଟ: ଘଟଗାଁ ବ୍ଲକ୍ ଅନ୍ତର୍ଗ ଖଜୁରିଜୁଆଣିଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ମୃତକ ଦ୍ବୟ ହେଲେ ରବୀନ୍ଦ୍ର ଦଳେଇ, ଗଜେନ୍ଦ୍ର ନାଏକ।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଘଟଗାଁ ବ୍ଲକ ମନତା ଗ୍ରାମର ରାଜମିସ୍ତ୍ରି ରବୀନ୍ଦ୍ର ଦଳେଇ କୌଣସି କାମରେ ନିଜ ଭିଣୋଇ ଘର କେନ୍ଦୁଝର ସହରର ମଣ୍ଡୁଆକୁ ଯାଇଥିଲେ। ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏ ସମୟରେ ସେ ଫେରିବାବେଳେ ତାଙ୍କ ମୋପେଡ଼ ଗାଡ଼ିରେ ଆଉ ଦୁଇ ଜଣଙ୍କୁ ବସାଇ ଫେରୁଥିଲେ। ଢେଙ୍କିକୋଟ ପୂର୍ବରୁ ଖଜୁରିଜୁଆଣି କ୍ରସର ଛକ ନିକଟରେ ପଛପଟୁ ଏକ ଲୁହାପଥର ବୋଝେଇ ଟ୍ରକ ତାଙ୍କ ମୋପେଡ଼କୁ ଖୁବ୍‌ଜୋରରେ ଧକ୍କା ଦେଇଥିଲା। ରବୀନ୍ଦ୍ର ଦଳେଇ(୪୫) ଏବଂ ପଛରେ ବସିଥିବା ଅନ୍ୟ ଦୁଇଜଣ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ରବୀନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା।

ଖବରପାଇ ଏନ୍ଏ‌ଚ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଦୁଇଜଣ ଗୁରୁତର ଆହତଙ୍କ ସହିତ ରବୀନ୍ଦ୍ରଙ୍କ ମୃତଦେହକୁ କେନ୍ଦୁଝର ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ। ଗୁରୁତର ଆହତଦ୍ବୟଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମାତ୍ର ସ୍ଥାନାନ୍ତର ବେଳେ ନରଣପୁରର ଗଜେନ୍ଦ୍ର ନାଏକଙ୍କ ମୃତ୍ୟୁ ଘଟିଥିଲା। ମଣ୍ଡୁଆର ପ୍ୟାରୀମୋହନ ନାଏକଙ୍କୁ କଟକ ପଠାଯାଇଛି। ତାଙ୍କର ଦୁଇ ଗୋଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଖବରପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଈଶ୍ୱର ଚନ୍ଦ୍ର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର