ସଡ଼କ ଦୁର୍ଘଟଣାରେ ଦୁଇ ଜଣ ମୃତ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତର ବାନୁଆପାରା ଗ୍ରାମର ଜଣେ ଯୁବକ ସଡ଼କ ଦୁର୍ଘଟଣାରେ ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ବାନୁଆପାରା ଗ୍ରାମର କାଳିଆ ସାନ୍ତାଙ୍କ ପୁଅ ତୈଳ ସାନ୍ତା (୨୦) ଏବଂ ପୀତବାସ ସାନ୍ତାର ପୁଅ ସୁରେନ୍ଦ୍ର ସାନ୍ତା ଏକ ବାଇକ ନମ୍ବର ଓଡ଼ି ୧୦ ଏଫ ୦୩୫୬ ଯୋଗେ ନିଜସ୍ୱ କାର୍ଯ୍ୟରେ କେନ୍ଦୁଗୁଡା ଗ୍ରାମ ଯାଇ ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ। ଘରକୁ ଫେରିବା ସମୟରେ ଛତାଆମ୍ବ ଗ୍ରାମ ନିକଟରେ ଥିବା ଏକ ପୋଲରେ ଗାଡି ଭାରସାମ୍ୟ ହରାଇ ପଡିଯାଇଥିଲା। ଫଳରେ ତୈଳ ସାନ୍ତା ଏବଂ ସୁରେନ୍ଦ୍ର ସାନ୍ତା ପୋଲ ତଳକୁ ଝିଟିକି ହୋଇ ପଡିଯାଇଥିଲେ। ଘଟଣାସ୍ଥଳରେ ତୈଳ ସାନ୍ତାର ମୃତ୍ୟୁ ହୋଇଯାଇଥିବା ବେଳେ ସୁରେନ୍ଦ୍ର ସାନ୍ତା ଗୁରୁତର ଆହତ ହୋଇଥିଲେ। ପରେ ଛତାଆମ୍ବ ଗ୍ରାମର କିଛି ଲୋକ ଆଜି ଭୋର ସକାଳୁ ଶୌଚ ପାଇଁ ନଦୀ ପାଖକୁ ଯିବା ବେଳେ ଦୁର୍ଘଟଣା ସମ୍ପର୍କରେ ଜାଣିବା ସହ ପରିବାର ଲୋକଙ୍କୁ ଖବର ଦେଇ ଥିଲେ ଏବଂ ଦୁଇ ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତୈଳ ସାନ୍ତର ମୃତ୍ୟୁ ଘୋଷଣା କରିବା ସହ ସୁରେନ୍ଦ୍ର ସାନ୍ତାକୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ପରେ କୋରାପୁଟ ମେଡ଼ିକାଲ କଲେଜରେ ଚିକିତ୍ସାଧିନ ଅବସ୍ଥାରେ ସୁରେନ୍ଦ୍ରର ମୃତ୍ୟୁ ହୋଇଥିବା ଜଣାପଡିଛି।ପରିବାର ପକ୍ଷରୁ ମୃତକଙ୍କ ଦାଦା ଭଗବାନ ସାନ୍ତା ଝରିଗାଁ ଥାନାରେ ଲିଖିତ ଅଭିଯୋଗ ଦେବାପରେ ଝରିଗାଁ ପୁଲିସ ଶବ ଜବତ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର