ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ଯୁବକ ମୃତ

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି-ଇନ୍ଦ୍ରାବତୀ ରାସ୍ତାର ତ୍ରିନାଥ ମନ୍ଦିର ନିକଟରେ ଆଜି ଅପରାହ୍ନ ସାଢ଼େ ୪ଟାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ପୂଜାରୀଗୁଡ଼ା ଗ୍ରାମର ଉମେଶ ମାଝୀ (୨୦) ଏବଂ ନବରଙ୍ଗପୁର ସହର ନିକଟସ୍ଥ ବଡ଼ ଡାଇଭଟ୍ଟାର ସମୀର ସୁନା (୨୫)।

ସୂଚନା ଅନୁଯାୟୀ ପୂଜାରୀଗୁଡ଼ାର ଉମେଶ ମାଝୀ ଆଜି ଅପରାହ୍ନରେ ଏକ ହୋଣ୍ଡା ୟୁନିକର୍ନ ବାଇକ ଯୋଗେ ନିଜ ପରିବା ବାଡ଼ିକୁ ଯାଉଥିଲେ । ଏହି ସମୟରେ ଇନ୍ଦ୍ରାବତୀରୁ ଡାଇଭଟ୍ଟା ଗ୍ରାମର ସମୀର ସୁନା, ତପନ ସୁନା ଏବଂ ଏଡମିନ ଡ଼ଙ୍ଗରି ଏକ ପଲସର ବାଇକ ଯୋଗେ ନିଜ ଗ୍ରାମ ଅଭିମୁଖେ ଫେରୁଥିଲେ। କୁର୍ମାକୋଟ ତ୍ରିନାଥ ମନ୍ଦିର ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଆହତମାନଙ୍କୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଗଣେଶ ବାଘ, ନବୀନ କାର୍କରା, ଚିକୁନ ପଣ୍ଡା ପ୍ରମୁଖଙ୍କ ସହଯୋଗରେ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବାଇକ ଚାଳକ ସମୀର ସୁନା ଏବଂ ଉମେଶ ମାଝୀଙ୍କୁ ଡାକ୍ତର କବି ଶତପଥି ମୃତ୍ୟୁ ଘୋଷଣା କରିଥିଲେ। ତେବେ ଏଡମିନ ଡ଼ଙ୍ଗରି ଏବଂ ତପନ ସୁନା ସାମାନ୍ୟ ଆହତ ହୋଇ ଚିକିତ୍ସା ହେଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ରହିଥିବା ଜଣାପଡ଼ିଛି ।

ତେନ୍ତୁଳିଖୁଣ୍ଟି ଆଇ.ଆଇ.ସି ପରମାନନ୍ଦ ସୁନାନୀ, ଏସ.ଆଇ ଅଭିମନ୍ୟୁ ଦୁର୍ଗା କେଶର ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି। ଏନେଇ ତେନ୍ତୁଳିଖୁଣ୍ଟି ଥାନାରେ ଦୁର୍ଘଟଣା ଜନିତ ଏକ ମାମଲା ରୁଜୁ ହୋଇଥିବା ବେଳେ ଏସ.ଆଇ ଅଭିମନ୍ୟୁ ଦୁର୍ଗା କେଶର ତଦନ୍ତ କରୁଛନ୍ତି। ଉଭୟଙ୍କ ଶବ ବ୍ୟବଛେଦ ବୁଧବାର ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର