ବାଇକକୁ ପିଟିଲା କାର: ୨ ଭାଇଙ୍କ ଶୋଚନୀୟ ମୃତ୍ୟୁ, ଜଣେ ଗୁରୁତର

ଫୁଲବାଣୀ-ଫିରିଙ୍ଗିଆ ରାସ୍ତାରେ ମର୍ମନ୍ତୁକ ଦୁର୍ଘଟଣା

ଫୁଲବାଣୀ: ଫୁଲବାଣୀ-ଫିରିଙ୍ଗିଆ ରାସ୍ତା ବରପଦା ନିକଟରେ ଆଜି ଏକ ମର୍ମନ୍ତୁକ ଦୁର୍ଘଟଣା ଘଟିଛି। ବାଇକକୁ କାର ମୁହାଁମୁହିଁ ଧକ୍କା ଦେବା ଫଳରେ ବାଇକ ଆରୋହୀ ୨ ଭାଇଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଶୋଚନୀୟ ମୃତ୍ୟୁ ହୋଇଛି। ଏଥିରେ କାର ଚାଳକ ବି ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଗୋଛାପଡା ଥାନା ଅଲିମାଡା ଗାଁର ପ୍ରବୀପ ବଗାର(୨୮) ଓ ତାଙ୍କ ଦାଦା ପୁଅ ଭାଇ ନରେଶ ବଗାର(୨୪) ଦୁହେଁ ଆଜି ଏକ ବାଇକ(ନମ୍ବର ଓଡି-୧୨-ଇ-୮୨୧୧)ରେ ଫୁଲବାଣୀ ଆସିଥିଲେ। ଗୋଟିଏ ନୂଆ ମୋବାଇଲ କିଣି ଘରକୁ ଫେରୁଥିଲେ। ସମୟ ଦିନ ୧୧ଟା। ବାଲିଗୁଡା ପଟୁ ଫୁଲବାଣୀକୁ ଦ୍ରୁତଗତିରେ ଆସୁଥିବା ଏକ କାର(ନମ୍ବର ଓଡି-୧୪-ଏ-୮୯୯୭)ବରପଦା ନିକଟ‌ ବୁଲାଣି ରାସ୍ତାରେ ବାଇକକୁ ଜୋରରେ ଧକ୍କା ଦେଇଥିଲା। ଏଥିରେ ବାଇକ ଆରୋହୀ ଦୁଇ ଭାଇ ପ୍ରଦୀପ ଓ ନରେଶର ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇ କାରଟି ରାସ୍ତା ତଳକୁ ଖସି ପଡିଥିବା ବେଳେ ସେଥିରେ ଚାଳକ ଚାପି ହୋଇ ଯାଇଥିଲେ।

କାର ଚାଳକ ଭୁବନେଶ୍ବରର ଜିତେନ୍ଦ୍ର ପାତ୍ରଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବ‌ନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ସଦର ଥାନାଧିକାରୀ ଆଦିତ୍ୟପ୍ରସାଦ ସେଠୀ ସଦଳବଳେ ପହଞ୍ଚି ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ କାର ଓ ବାଇକକୁ ପୁଲିସ ଜବତ କରିବା ସହ ଦୁଇ ଭାଇଙ୍କ ମୃତଦେହକୁ ବ୍ୟବଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। କେଶ ନଂ ୫୦ରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମୃତ ପ୍ରଦାପ ବିବାହିତ। ତାଙ୍କର ୨ ପିଲା ଓ ବିଧବା ପତ୍ନୀ ଅଛନ୍ତି। ମୃତ ନରେଶ ଅବିବାହିତ ଥିଲେ। କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଆଜି ସବୁ ଆଡେ ଉତ୍କଳ ଜନନୀ ଗୀତ ଗାଇବାକୁ ନେଇ ପ୍ରସ୍ତୁତି ଚାଲିଥିବା ବେଳେ ଏହି ଦୁଃଖଦ ଘଟଣାକୁ ନେଇ ଏହାକୁ ନେଇ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧିତ ଖବର