ଅଜଣା ଗାଡି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ

ନବରଙ୍ଗପୁର: ଅଜଣା ଗାଡି ଧକ୍କାରେ ରବିବାର ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଖଡଗାପଦର ଗାଁ ନିକଟସ୍ଥ ୨୬ ନମ୍ବର ଜାତୀୟ ରାଜପଥରେ ଏହି ଘଟଣା ଘଟିଛି। ଆଜି ସକାଳୁ କିଛି ବ୍ୟକ୍ତି ଜଙ୍ଗଲକୁ କାଠ ଆଣିବା ପାଇଁ ଯାଇଥିବା ବେଳେ ରାସ୍ତା ଉପରେ ୨ ଜଣ ବ୍ୟକ୍ତି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାର ଦେଖି ସାଙ୍ଗେ ସାଙ୍ଗେ ନିକଟସ୍ଥ ମଇଦଲପୁର ପୁଲିସ ଫାଣ୍ଡିକୁ ଖବର ଦେଇଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଜଣେ ବ୍ୟକ୍ତି ମୃତ ଅବସ୍ଥାରେ ରାସ୍ତାରେ ପଡିଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କୁ ପାପଡାହାଣ୍ଡି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଉକ୍ତ ବ୍ୟକ୍ତିଙ୍କୁ ଡାକ୍ତର ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଜୟପାଟନା ବ୍ଲକ ନାଗଫେଣୀ ଗାଁର ମଧୁ ମାଝୀ (୪୦) ଓ ହିରା ଦିଶାରୀ(୪୭) ଏକ ମୋଟର ସାଇକେଲରେ କିଛି ଦିନ ପୂର୍ବେ ଝରିଗାଁ ବ୍ଲକର କୋଙ୍ଗ୍ରା ଗାଁକୁ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ଆଜି ଉଭୟେ ମୋଟର ସାଇକେଲରେ ଝରିଗାଁରୁ କଳାହାଣ୍ଡି ଅଭିମୁଖେ ଫେରୁଥିଲେ। ଖଡଗପଦର ପୋଲ ନିକଟରେ ସେମାନଙ୍କ ବାଇକକୁ ଏକ ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଥିବାର ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର