ବଣାଇଗଡ଼/ଲହୁଣିପଡ଼ା: ଲହୁଣିପଡ଼ା ଥାନା ଅନ୍ତର୍ଗତ ଦଲମକୁଚା ଘାଟିରେ ରବିବାର ରାତି ୧୦ ଟା ସମୟରେ ଏକ ଲୁହାପଥର ବୋଝେଇ ହାଇୱା ବାଇକ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ସୂଚନାରୁ ପ୍ରକାଶ ଟେନ୍ସାରୁ ରାଉରକେଲା ଅଭିମୁଖେ ଯାଉଥିବା ଓଡ଼ି-୧୪ଏ-ବି୧୪୯୭)ହାଇୱା ବିପରୀତ ପାର୍ଶ୍ବ ଲହୁଣିପଡ଼ାରୁ ଟେନ୍ସା ଯାଉଥିବା ଓଆର ୧୪ୱାଇ ୨୮୧୩ ବାଇକ୍ ସହ ସମ୍ମୁଖରୁ ଧକ୍କା ହୋଇଥିଲା। ଫଳରେ ବାଇକ୍ରେ ଯାତ୍ରା କରୁଥିବା ଦୁଇ ବାଇକ୍ ଆରୋହୀ ଟେନସା ଅଞ୍ଚଳର ଯୁବକ ଅମିତ ଟପ୍ପୋ(୨୪) ଓ ତାଳବାହଲି ଗ୍ରାମର ଅଭିରାମ ମୁଣ୍ଡା ( ୩୫)ଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ସଂପର୍କରେ ଉଭୟେ ଶଳା ଭିଣୋଇ ହୋଇଥିବାବେଳେ କୌଣସି କାମରେ ବାଇକ୍ଯୋଗେ ଘରକୁ ଫେରୁଥିବାବେଳେ ଦଲମକୁଚା ଘାଟିରେ ଏହି ଦୁର୍ଘଟଣା ଘଟିଥିଲା।
ଖବର ପାଇ ଲହୁଣିପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରି ଦୁର୍ଘଟଣା ଘଟାଇଥିବା ଗାଡ଼ି ଓ ବାଇକ୍କୁ ଜବତ କରିବା ସହ ମୃତକଙ୍କ ଶବ ଜବତ କରି ଲହୁଣିପଡ଼ା ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲେ। ଏ ନେଇ ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।