ସ୍ପିଡ୍ ବ୍ରେକର ସାଜିଲା କାଳ: ଦୁର୍ଘଟଣାରେ ଚାଲିଗଲା ୨ ସାଙ୍ଗଙ୍କ ଜୀବନ

ରାୟଗଡ଼ା: ରାୟଗଡ଼ା ସହର ରୟତ କଲୋନି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବାଇକ୍ ରୋଡ୍ ଡିଭାଇଡରରେ ପିଟି ହେବା ଯୋଗୁ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଏମ୍. ଅନିଲ (୨୦) ଓ ଅନୀଲ ବେହେରା (୧୯)। ସଙ୍କଟାପନ୍ନ ଅବସ୍ଥାରେ ଚିଙ୍କୁ ମହାଙ୍କୁଡ଼କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ରାୟଗଡ଼ା ପୁଲିସ୍ ମୃତଦେହ ଜବତ କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ରାୟଗଡ଼ା ସହର ଜଗନ୍ନାଥ ସାହି ଓ ତୁମ୍ବିଗୁଡ଼ା ଅଞ୍ଚଳର ତିନି ସାଙ୍ଗ ଏମ୍. ଅନୀଲ, ଅନୀଲ ବେହେରା ଓ ଚିଙ୍କୁ ଶୁକ୍ରବାର ରାତିରେ କୌଣସି କାମରେ ସିରିଗୁଡ଼ା ଯାଇଥିଲେ। କାମ ସାରିବା ପରେ ସଭିଁଏ ବାଇକ୍ ଯୋଗେ ରାୟଗଡ଼ା ଫେରୁଥିଲେ। ରାସ୍ତାରେ ବର୍ଷା ହେବା ଯୋଗୁ ଘରକୁ ଶୀଘ୍ର ଫେରିବା ପାଇଁ ଅନୀଲ ବାଇକର ଗତିକୁ ତୀବ୍ର କରି ଦେଇଥିଲେ। ରୟତ କଲୋନି ଛକରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ରାସ୍ତା ଉପରେ ରଖାଯାଇଥିବା ସ୍ପିଡ୍ ବ୍ରେକର (ଷ୍ଟପ୍ ବୋର୍ଡ)କୁ ଦୂରରୁ ଅନିଲ ଦେଖି ପାରିନଥିଲେ। ହଠାତ୍ ଅତି ନିକଟରୁ ସ୍ପିଡ୍ ବ୍ରେକରକୁ ଦେଖି ବାଇକର ଡିସ୍କ୍ ବ୍ରେକ୍ କସିବା ପରେ ଗତି ତୀବ୍ର ଯୋଗୁ ବାଇକ୍ ଭାରସାମ୍ୟ ହରାଇ ରୋଡ୍ ଡିଭାଇଡରରେ ପିଟି ହୋଇଯାଇଥିଲା। ଫଳରେ ବାଇକରେ ବସିଥିବା ତିନି ସାଙ୍ଗ ରାସ୍ତା ଉପରେ କଚାଡ଼ି ପଡିଯାଇଥିଲେ। ଦୁଇ ସାଙ୍ଗ ଏମ୍. ଅନୀଲ ଓ ଅନିଲ ବେହେରାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ପ୍ରଚୁର ରକ୍ତସ୍ରାବ ହେବା ଯୋଗୁ ଘଟଣାସ୍ଥଳରେ ହିଁ ଉଭୟଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଖବର ପାଇ ରାୟଗଡ଼ା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଚିଙ୍କୁ ମହାଙ୍କୁଡ଼ଙ୍କ ସମେତ ଦୁଇ ସାଙ୍ଗକୁ ରାୟଗଡ଼ା ମେଡ଼ିକାଲରେ ଭର୍ତ୍ତି କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଅନୀଲଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଚିଙ୍କୁକୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ରାୟଗଡ଼ା ଥାନା ଏସଆଇ ବିକାଶ ପଟେଲ୍ ଦୁର୍ଘଟଣାଗସ୍ତ ବାଇକକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

 

ସମ୍ବନ୍ଧିତ ଖବର