ବାଇକ୍‌ ଦୁର୍ଘଟଣାଗ୍ରସ୍ତ: ମହିଳାଙ୍କ ସମେତ ୨ ମୃତ

କଣ୍ଟାବାଞ୍ଜି/ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ବାଇକ୍‌ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ତୁରେକେଲା-ଲାଠୋର ରାସ୍ତା ବୁଢ଼ୀବାହାଲ ନିକଟରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ବୁରୋମାଲ ପଞ୍ଚାୟତ ଘନାମହୁଲ ଗାଁର ତୁଳସୀ ମାଝୀ (୩୯ବର୍ଷ)ଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ତୁଳସୀ ମାଝୀ ବାଇକ୍‌ ଯୋଗେ ମହୁଲପାଟି ପଞ୍ଚାୟତ କନ୍ଦାଗାଡ଼ ଗାଁ ତାଙ୍କ ଶ୍ବଶୁର ଘରକୁ ଯାଇଥିଲେ। ଗୁରୁବାର ସନ୍ଧ୍ୟାରେ ନିଜ ଗାଁକୁ ଫେରୁଥିଲେ। ବୁଢ଼ୀବାହାଲ ଛକ ନିକଟରେ ତାଙ୍କ ବାଇକ୍‌ କଲଭର୍ଟରେ ପିଟି ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ତୁରେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତୁରେକେଲା ପୁଲିସ ଖବର ପାଇ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଶୁକ୍ରବାର କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣିଥିବା ସୂଚନା ମିଳିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସେହିପରି ଖପ୍ରାଖୋଲ ଥାନା ବେନକେରା ଗ୍ରାମରେ ବାଇକ୍‌ରୁ ପଡ଼ି ଚନ୍ଦ୍ରମା ଝରିଆ (୫୦ବର୍ଷ) ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ସର୍ଗିପାଲି ଗ୍ରାମର ଚନ୍ଦ୍ରମାଙ୍କ ଦେହ ଅସୁସ୍ଥ ଥିବାରୁ ଧଣ୍ଡାମୁଣ୍ଡା ଡାକ୍ତରଖାନାକୁ ଗାଁର ରାମେଶ୍ୱର ଧରୁଆଙ୍କ ବାଇକ୍‌ ପଛରେ ବସି ଯାଉଥିଲେ। ବେନକେରା ଗ୍ରାମ ରାସ୍ତା ମଝିରେ ଥିବା ହମ୍ପସରେ ସେ ଗାଡ଼ିରୁ ଖସି ପଡ଼ିଥିଲେ। ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଖପ୍ରାଖୋଲ ଥାନା କେସ୍‌ ନଂ ୯୮/୨୨ରେ ଏକ ମାମଲା ରୁଜୁକରି ପୁଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଏସ୍‌ଆଇ ଜୟଶଙ୍କର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର