ଚାଷ କାମରୁ ଘରକୁ ଫେରୁଥିଲେ ୨ ଚାଷୀ, ବଜ୍ରପାତ ନେଲା ଜୀବନ

ନିରାକାରପୁର: ବିଲରେ ଚାଷ କାମ ସାରି ଆଜି ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ବଜ୍ରପାତ ହୋଇଛି । ଏଥିରେ ୨ ଜଣ ଚାଷୀଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଓଳସିଂହ ପଂଚାୟତର ଡମଣଭୂଇଁ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ଚାଷୀମାନେ ହେଲେ ବଂଶୀଧର ଦଳେଇ (୫୦) ଓ ପ୍ରଦୀପ ଭୋଳ (୪୦) ।

ସୂଚନା ଅନୁସାରେ ଡମଣଭୂଇଁ ଗ୍ରାମର ବଂଶୀଧର ଏବଂ ପ୍ରଦୀପ ଅନ୍ୟ ଦିନ ପରି ଆଜି ମଧ୍ୟ ଚାଷ ଜମିକୁ ଯାଇଥିଲେ । ଆଜିର କାମ ଶେଷ କରି ଘରକୁ ଫେରୁଥିଲେ । ଏହି ସମୟରେ ଘଡ଼ଘଡ଼ି ସହିତ ବର୍ଷା ହୋଇଥିଲା । ଫଳରେ ସେମାନେ ରାସ୍ତାକଡ଼ରେ ଥିବା ଏକ ଆମ୍ବଗଛ ତଳକୁ ଯାଇଥିଲେ । ବଜ୍ରପାତ ହେବାରୁ ସେମାନେ ୨ ଜଣ ତଳେ ପଡ଼ିଯାଇଥିଲେ । ପରିବାର ଓ ଗାଁ ଲୋକଙ୍କ ଦ୍ୱାରା ବଂଶୀଧର ଓ ପ୍ରଦୀପଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର