ରାୟଗଡ଼ା: ପେଣ୍ଡିଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,୨ ମୃତ

ରାୟଗଡ଼ା: ରାୟଗଡ଼ା-ବନ୍ଧୁଗାଁ ରାସ୍ତାର ପେଣ୍ଡିଲି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି। ମୃତକ ହେଲେ ରାୟଗଡ଼ା ଜିଲ୍ଲା ଜେକେପୁରର ବରୁଣ କଣ୍ଡାଗିରି (୨୫) ଓ କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଡୁମାଡଙ୍ଗର ଗାଁର ନିତୁ କାଣ୍ଡ (୩)। ଦୁର୍ଘଟଣାରେ ଗୁରୁତର ହରି କାଣ୍ଡଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣା ପଡ଼ିଛି।

ଡୁମାଡଙ୍ଗର ଗ୍ରାମର ହରି କାଣ୍ଡଙ୍କ ଝିଅ ନିତୁର ଦେହ ଅସୁସ୍ଥ କାରଣରୁ ବାଇକ୍ (ନଂ-ଓଡ଼ି୧୮ଜି-୩୦୨୧) ଯୋଗେ ଚିକିତ୍ସା ପାଇଁ ରାୟଗଡ଼ା ମେଡ଼ିକାଲକୁ ଆସିଥିଲେ। ଚିକିତ୍ସା ପରେ ବରୁଣ, ହରି, ନିତୁ ୩ ଜଣ ବାଇକରେ ଡୁମାଡଙ୍ଗର ଫେରୁଥିବା ସମୟରେ ପେଣ୍ଡିଲି ନିକଟରେ ଅପର ପାର୍ଶ୍ବରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ (ନଂ-ଓଡ଼ି୧୦ଏ-୩୬୯୩) ବାଇକକୁ ଧକ୍କା ଦେଇଥିଲା। ଫଳରେ ବାଇକରୁ ଛିଟିକି ପଡ଼ିଥିଲେ ବରୁଣ, ହରି, ନିତୁ। ଘଟଣାସ୍ଥଳରେ ବରୁଣଙ୍କ ପ୍ରାଣବାୟୁ ଉଡ଼ି ଯାଇଥିବା ବେଳେ ୩ ବର୍ଷର ଝିଅ ନିତୁ ଓ ବାପା ହରି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରାୟଗଡ଼ା ମେଡ଼ିକାଲକୁ ଆଣିଥିଲେ। ବରୁଣଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ନିତୁର ମୃତ୍ୟୁ ହୋଇଥିଲା। ଗୁରୁତର ହରିର ଚିକିତ୍ସା ଚାଲିଥିବା ଡାକ୍ତର କହିଛନ୍ତି। ଏହି ଖବର ପ୍ରଚାର ହେବା ପରେ ଡୁମାଡଙ୍ଗର ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧିତ ଖବର