ନବରଂଗପୁର: ବାଇକ୍‌ ଧକ୍କାରେ ୨ ମୃତ

ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକର ମଇଦଲପୁର ନିକଟରେ ଏକ ବାଇକ ଜଣେ ବୃଦ୍ଧଙ୍କୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମଇଦଲପୁର ଠାରୁ ପ୍ରାୟ ୧ କିମି ଦୂରରେ ଜାତୀୟ ରାଜପଥ ୨୬ର ଗଡଖାଇ ଛକରେ ଶୁକ୍ରବାର ଏହି ଘଟଣାଟି ଘଟିଛି । ଅପରାହ୍ନ ୩ଟା ବେଳେ ଡାବୁଗାଁ ବ୍ଲକର ଧମନାଗୁଡା ପଞ୍ଚାୟତର ଚାରାଗାଁ ଗ୍ରାମର ଘନ ମିରଗାନ(୫୫) ମଇଦଲପୁରରେ ବସରେ ଓଲ୍ଲାଇ ତାଙ୍କ ପୁଅ ରହୁଥିବା ଗୋପିଗୁଡା ଗାଁକୁ ଚାଲି ଚାଲି ଯାଉଥିଲେ।

ଅପରପକ୍ଷରୁ ମଇଦଲପୁର ପଞ୍ଚାୟତର କେନ୍ଦୁଗୁଡା ଗାଁର ତ୍ରିଲୋଚନ ନାୟକ (୨୧) ଓ ଝରିଗାଁ ବ୍ଲକର ଜଣେ ଯୁବକ ହିରୋ ଗ୍ଲାମୋର ମୋଟର ସାଇକେଲ ଯୋଗେ ମଇଦଲପୁର ଆସୁଥିଲେ। ବାଇକଟି ଗଡଖାଇ ଛକରେ ବୃଦ୍ଧ ଘନ ମିରଗାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘନ ମିରଗାନ ଓ ତ୍ରିଲୋଚନ ନାୟକ ରାସ୍ତାର ଉଭୟ ପଟେ ଛିଟିକି ହୋଇ ପଡିଲେ। ଘଟଣାସ୍ଥଳରେ ଘନ ମିରଗାନ ଓ ବାଇକ ଚାଳକ ତ୍ରିଲୋଚନ ନାୟକଙ୍କ ମୃତ୍ୟୁ ଘଟିଥିଲା।

ଘଟଣାସ୍ଥଳରେ ମଇଦଲପୁର ଫାଣ୍ଡି ଅଧିକାରୀ ପ୍ରଦୀପ କୁମାର ବାଘ ଓ ଷ୍ଟାଫ ପହଞ୍ଚି ଟ୍ରାଫିକ ବ୍ୟବସ୍ଥା ସଜାଡିବା ସହ ମୃତକ ମାନଙ୍କ ଶବକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ନବରଙ୍ଗପୁର ଜିଲ୍ଲା ମୂଖ୍ୟାଳୟକୁ ପଠାଇଛନ୍ତି। ଘଟଣାସ୍ଥଳରେ ଗୋଟିଏ ପ୍ଲାଟୁନ ଆଇଆରବି ପୁଲିସ ଫୋର୍ସ ମୃତୟନ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବାଇକରେ ବସିଥିବା ଯୁବକକୁ ଫାଣ୍ଡି ଅଧିକାରୀ ଥାନାରେ ଅଟକ ରଖି ପଚରା ଉଚରା କରୁଛନ୍ତି।

ସମ୍ବନ୍ଧିତ ଖବର