ମୁହାଁମୁହିଁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍‌, ଜରପଡ଼ା ରେଲେଓ୍ଵ ଓଭର ବ୍ରିଜ୍‌ ନିକଟରେ ଜୀବନ ହାରିଲେ ୨ ବାଇକ୍‌ ଅରୋହୀ

ଛେଣ୍ଡିପଦା: ମୁହାଁମୁହିଁ ଟ୍ରକ ଧକ୍କା ଦେବାରୁ ଅନୁଗୁଳ ଜିଲ୍ଲା ଜରପଡ଼ା ରେଲଓ୍ଵ ବ୍ରିଜ ବୁଲାଣିରେ ଆଜି ଅପରାହ୍ନରେ ୨ ଜଣ ବାଇକ ଆରୋହୀଙ୍କ ଅକାଳ ମୃତ୍ୟୁ ହୋଇଛି। ମୃତକମାନଙ୍କର ପରିଚୟ ଜଣାପଡ଼ି ନାହିଁ।

ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୨ଟାରେ ଜରପଡ଼ାରୁ ଛେଣ୍ଡିପଦା ଆଡକୁ ଏକ ଟ୍ରକ ଯାଉଥିଲା। ବିପରୀତ ଦିଗରୁ ଏକ ବାଇକ ଆସୁଥିଲା। ଜରପଡା ରେଲୱେ ପୋଲ ନିକଟ ବୁଲାଣିରେ ଟ୍ରକ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଚାଳକ ସମେତ ଦୁଇ ଜଣ ବାଇକ ଆରୋହୀ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ଟ୍ରକ ଚାଳକ ଫେରାର ହୋଇଛି। ଜରପଡା ପୁଲିସ ପହଂଚି ମୃତଦେହ ଉଦ୍ଧାର କରି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିଛି।

ସୂଚନାଯୋଗ୍ୟ, ପ୍ରାୟ ୧ ବର୍ଷ ମଧ୍ୟରେ ଏହି ସ୍ଥାନରେ ଏକଧିକା ଦୁର୍ଘଟଣା ଘଟିଛି। ରାଞ୍ଚି-ବିଜୟଓ୍ଵାଡା ଓ ୫୫ ନମ୍ବର ଜାତୀୟ ରାଜପଥ (କଟକ-ସମ୍ବଲପୁର)କୁ ସଂଯୋଗ କରୁଥିବା ଜରପଡ଼ା ରେଲେଓ୍ଵ ବ୍ରିଜ ହଠାତ ବୁଲାଣିଆ ହୋଇଥିବାରୁ ବାରମ୍ବାର ଏଠାରେ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଲଟାବୁଦା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱ ସଂକୀର୍ଣ୍ଣ ହୋଇଯାଇଛି। ଏହା ଦ୍ୱାରା ଗାଡ଼ିଚାଳକମାନେ ଦୂରକୁ ଦେଖିପାରୁ ନାହାନ୍ତି।

ସମ୍ବନ୍ଧିତ ଖବର